ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଳକ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। କିସିଣ୍ଡା , ସରା ପାଲି , ସାଲେଭଟା , ପାଣିମୁରା ଓ ଗିରିଶଚନ୍ଦ୍ର ପୁର ପଞ୍ଚାୟତର ୨୫ ଜଣ ବିଜେଡି ଓ କଂଗ୍ରେସ କର୍ମୀ କିସିଣ୍ଡା ଠାରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କିସିଣ୍ଡା ମଣ୍ଡଳ ସଭାପତି ସୁଶାନ୍ତ ଭୁତିଆ ଙ୍କ ସଭାପତିତ୍ବରେ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ କାର୍ଯ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି
ଭାବେ ଯୋଗ ଦେଇ ନୂତନ ସଦସ୍ୟଙ୍କୁ ଦ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।
ବିଜେପିରେ ସାମିଲ ହୋଇଥିବା ସଦସ୍ୟଙ୍କ ମଧ୍ୟରେ କିସିଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ଦୁଷ୍ମନ୍ତ ପ୍ରଧାନ ,ସରାପାଲିର ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ପ୍ରଧାନ , ସାଲେଭଟା ପଞ୍ଚାୟତ ର ବିଜେଡି କର୍ମୀ ପ୍ରମୋଦ ବିଶ୍ବାଳ, ରାଜ କିଶୋର ଧଳ, ପାଣିମୁରା ପଞ୍ଚାୟତର କଂଗ୍ରେସ ଉପସଭାପତି ପୁରୀକ୍ଷେତ୍ର ଗଡତିଆ , ଗିରିଶ ଚନ୍ଦ୍ର ପୁର ପଞ୍ଚାୟତର କଂଗ୍ରେସ ସଭାପତି ରମାକାନ୍ତ ସାହୁ , ଅଶ୍ବିନୀ ସାହୁ , ଅରବିନ୍ଦ ପ୍ରଧାନ ଙ୍କ ସମେତ ୨୫ ଜଣ ବିଜେଡି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକାଭିମୁଖୀ ଯୋଜନା , ଅଞ୍ଚଳର ବିକାଶ ଦିଗରେ ଅଗ୍ରଗତି ହେଉଥିବା ଓ ବିଜେପିର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସରକାରରେ ଲୋକଙ୍କୁ ଗୁରୁତ୍ବ ଦେଉଥିବା ଦଳରେ ଆଜି ସାମିଲ ହୋଇଥିବା ନିଷ୍ପତ୍ତି ନେଇଛୁ ବୋଲି ସେମାନେ କହିଥିଲେ।
ଏହି ମିଶ୍ରଣ ପର୍ବରେ ଜିଲ୍ଲା ଉପସଭାପତି ପ୍ରମୋଦ ସାହୁ , ବିଚିତ୍ରାନନ୍ଦ ସାହୁ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ , ସାଂସଦ ପ୍ରତିନିଧି ନେତ୍ରାନନ୍ଦ ରାଉଳ , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , ବୁର୍ଡା ସରପଞ୍ଚ ରାଜା ପାଲ , ମନୋରଞ୍ଜନ ସାହୁ , ରାମାନୁଜ ମହାପାତ୍ର ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


