ରଣପୁର: ମଧ୍ୟ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟ ଦେଖାଯାଇଥିବା ବେଳେ ଏହାର ସୁଯୋଗ ନେଇ କଳା ବଜାରୀ କରୁଛନ୍ତି ଅସାଧୁ ବ୍ୟକ୍ତି। ବିଭିନ୍ନ ଜାଗାରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରୀମାନେ ସିଲିଣ୍ଡର ଗଚ୍ଛିତ ରଖିବା ଯୋଗୁଁ ବଜାରରେ ଗ୍ୟାସର ଅଭାବ ଦେଖାଯାଉଛି। କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ରଣପୁରର ବିଭିନ୍ନ ଜାଗାରେ କଳାବଜାରୀଙ୍କ ଦୋକାନ ଉପରେ ଚଢ଼ାଉ କରା ଯାଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ରାଜସୁନାଖଳାର ରଘୁନାଥ ସାହୁଙ୍କ ଘରେ ଯୋଗାଣ ବିଭାଗ ଅଧିକାରୀ ଅନିତା ରାଉତ ରାୟ, ତହସିଲଦାର ଅର୍ଯ୍ୟ କୁମାର ସର୍ବଦମନ, ବିଡିଓ ମନୋଜ ନାୟକ ଓ ସ୍ଥାନୀୟ ଫାଣ୍ଡି ପୋଲିସ ଏଏସଆଇ ହେମନ୍ତ ପ୍ରଧାନ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଇଣ୍ଡିଆନ, ଭାରତ ଓ ଏଚପି କମ୍ପାନୀର ୩୨ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଥିଲା। ୩୨ଟି ଗ୍ୟାସ ସିଲିଣ୍ଡର ମଧ୍ୟରୁ ୭ଟି ପୂର୍ଣ୍ଣ ସିଲିଣ୍ଡର ଥିବା ବେଳେ ୨୫ଟି ଖାଲି ଟାଙ୍କି ରହିଥିଲା। ସେହି ଭଳି ରଣପୁର ୱାର୍ଡ ନମ୍ବର ୬ରୁ ବିଶ୍ୱ ରଞ୍ଜନ ପୃଷ୍ଟି ଓ ସତ୍ୟ ନାରାୟଣ ପୃଷ୍ଟି ଙ୍କ ଘରେ ଚଢ଼ାଉ କରାଯାଇ ୩ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଛି।
ଏହି ଚଢାଉରେ ତହସିଲଦାର ବ୍ଲକ ଡେଭଲପମେଣ୍ଟ ଅଫିସର ଓ ରଣପୁର ଅର୍ବାନ ଅଫିସର ସାମିଲ ଥିଲେ। ଆଗାମୀ ଦିନରେ ଗ୍ୟାସ କଳା ବଜାରୀ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।


