ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ର ୩୯ତମ ସମାବର୍ତ୍ତନ ଉତ୍ସବ ଆଜି ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କେନ୍ଦ୍ରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଲ୍ଲୀର ଉପରାଜ୍ୟପାଳ ତରନଜିତ ସିଂହ ସାନ୍ଧୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ କୃତୀ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଓ ଡିପ୍ଲୋମା ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର ଦୀକ୍ଷାନ୍ତ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଖାଦ୍ୟ ଯୋଗାଣ ଓ ଗ୍ରାହକ ବ୍ୟାପାର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅତିଥି ଭାବେ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମଧ୍ୟ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଚଳିତ ବର୍ଷ ସମଗ୍ର ଦେଶରେ ୩.୨୪ ଲକ୍ଷ ଶିକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ ଭୁବନେଶ୍ୱର କେନ୍ଦ୍ରରୁ ୭,୧୧୯ ଜଣଙ୍କୁ (୩୪୧୦ ମାଷ୍ଟର ଡିଗ୍ରୀ ଛାତ୍ର; ୨୬୬୮ ସ୍ନାତକ ଡିଗ୍ରୀ ଛାତ୍ର; ୨୪୩ ପିଜି ଡିପ୍ଲୋମା / ପିଜି ସାର୍ଟିଫିକେଟ୍ ଛାତ୍ର, ୩୮୯ ଡିପ୍ଲୋମା ଛାତ୍ର ଏବଂ ୪୦୪ ଜଣ ସାର୍ଟିଫିକେଟ୍) ଡିଗ୍ରୀ ପ୍ରଦାନ କରାଯାଇଛି।
ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାୟକ କହିଥିଲେ ଯେ, ସମାବର୍ତ୍ତନ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଏହା ଜ୍ଞାନ ଓ ପରିବର୍ତ୍ତନର ଏକ ମହାକୁମ୍ଭ। ସେ ଇଗ୍ନୋର ଶିକ୍ଷାର୍ଥୀଙ୍କୁ ମହାଭାରତର ‘ଏକଲବ୍ୟ’ଙ୍କ ସହ ତୁଳନା କରି ସେମାନଙ୍କ ଆତ୍ମ-ପ୍ରେରଣାକୁ ପ୍ରଶଂସା କରିଥିଲେ। ସେହିପରି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଛାତ୍ରଛାତ୍ରୀଙ୍କୁ ଦେଶର ଶ୍ରେଷ୍ଠ ସମ୍ପତ୍ତି ଭାବେ ଅଭିହିତ କରି ‘ବିକଶିତ ଭାରତ ୨୦୪୭’ ଗଠନରେ ସେମାନଙ୍କର ପ୍ରମୁଖ ଭୂମିକା ରହିବ ବୋଲି ମତବ୍ୟକ୍ତ କରିଥିଲେ।
ପ୍ରଫେସର ଏନ୍.ସି. ପଣ୍ଡା ନିଜ ଅଭିଭାଷଣରେ ଉଚ୍ଚଶିକ୍ଷାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଇଗ୍ନୋର ପ୍ରୟାସକୁ ସ୍ୱାଗତ କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡକ୍ଟର ଏମ୍.କେ. ଦାଶ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ଏହି ଡିଗ୍ରୀକୁ ଜୀବନର ଏକ ନୂତନ ଅଧ୍ୟାୟର ଆରମ୍ଭ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ ପରିଚାଳନା କରିଥିବା ବେଳେ ଡକ୍ଟର ଏସ୍.କେ. ପାଣିଗ୍ରାହୀ, ଡକ୍ଟର ପି.କେ. ଜେନାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


