Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ।

୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ। ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି। ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ। କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ।

ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ। ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍। ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୂବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କ୍ୟାମ୍ପସ, ପରିବେଶ ଓ ଶିକ୍ଷାଦାନ ପରମ୍ପରା ଦୃଷ୍ଟିରୁ ଏହା ଦେଶର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟର ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ଦିବଙ୍ଗତଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ହେବା ତାଙ୍କର ସୌଭାଗ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ୱୀକୃତିପ୍ରାପ୍ତ କଲେଜରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ସେ ଏହା ଜାଣି ଖୁସି ହୋଇଥିଲେ ଯେ ଏହି ଛାତ୍ରମାନଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରତିଶତ ଅଧିକ। ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନେ ଭେଟୁଥିବା ସମସ୍ତଙ୍କ ମଧ୍ୟରେ ମାନବିକ ଗୁଣ, ଯେପରିକି ବିନମ୍ରତା ଏବଂ ନମ୍ରତା, ପ୍ରେମ ଏବଂ କରୁଣା ସୃଷ୍ଟି କରନ୍ତୁ। ସେ କହିଛନ୍ତି ଯେ ସେମାନେ ମନେ ରଖିବା ଉଚିତ ଯେ ମାନବ ସମାଜର ଅସ୍ତିତ୍ୱ ପାଇଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଜରୁରୀ। ସେମାନଙ୍କ ଦୟା କେବଳ ମନୁଷ୍ୟଙ୍କ ପାଇଁ ନୁହେଁ, ବରଂ ଆମ ପୃଥିବୀର ସମସ୍ତ ଜୀବିତ ଏବଂ ପରଲୋକଗତ ପ୍ରାଣୀଙ୍କ ପାଇଁ ମଧ୍ୟ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କ ଶିକ୍ଷକମାନେ ପ୍ରାୟତଃ ମାଆ, ମାତୃଭୂମି ଏବଂ ମାତୃଭାଷାକୁ ଭଲ ପାଇବା ଶିଖାଉଥିଲେ। ମାତୃଭାଷାରେ ଶିକ୍ଷା ଆମକୁ ଆମ ସଂସ୍କୃତି ସହ ଯୋଡ଼ିଥାଏ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଆମକୁ ଏକ ଅତି ସମୃଦ୍ଧ ସଂସ୍କୃତି ମିଳିଛି ଏବଂ ଆମକୁ ଏହାର ସଂରକ୍ଷଣ କରିବାକୁ ପଡିବ। ଭାରତୀୟ ଜ୍ଞାନ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ମୂଳକୁ ଚିହ୍ନିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ। ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା ପାଇଁ ପ୍ରୟାସ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ବୈଷୟିକ ଉନ୍ନତିକୁ ଗ୍ରହଣ କରିବା ସମୟରେ ଆମେ ଆମର ପାରମ୍ପରିକ ମୂଲ୍ୟବୋଧକୁ ଭୁଲିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁ ସମାବେଶୀ ଓ ସମର୍ପିତ ହେବା ଦରକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିକାଶକୁ ମାନବିକତା ଅନୁକୂଳ କରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦା ମନେ ରଖିବା ଉଚିତ ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ, ବିଶ୍ୱସ୍ତରୀୟ ତାଲିମ ନେଇ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ପ୍ରତିଷ୍ଠିତ “ବିଶ୍ୱ ଦକ୍ଷତା କେନ୍ଦ୍ର”ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୨-୨୩ ବ୍ୟାଚର ୬ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସରେ ଗୁରୁବାର ଦିନ ଏହି ସମାବର୍ତ୍ତନ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଛାତ୍ର/ଛାତ୍ରୀଙ୍କୁ “ବେଷ୍ଟ ଟ୍ରେନି” ଭାବେ ସମ୍ମାନିତ କରାଯାଇଥିଲା।

ଦକ୍ଷତା କେନ୍ଦ୍ରରେ ତାଲିମ ଦିଆଯାଉଥିବା ୬ଟି ବିଷୟକୁ ନେଇ ପ୍ରତ୍ୟେକ ଟ୍ରେଡର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଏହିଭଳି ୧୮ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଊଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳ କ୍ୟାରିୟର ଗଢ଼ିବାନେଇ ପରାମର୍ଶ ଦେଇଥିଲେ।

“ଛାତ୍ରଛାତ୍ରୀମାନଙ୍କ ଜୀବନର ଲକ୍ଷ୍ୟ ସବୁବେଳେ ବଡ଼ ହେବା ଦରକାର । ଲକ୍ଷ୍ୟ ବଡ଼ ହେଲେ ହିଁ ଆମର ସ୍ୱପ୍ନ ପୂରଣ ହୋଇପାରିବ। କ୍ୟାରିୟର ଗଠନ ବେଳେ ଅନେକ ଆହ୍ୱାନ ଆସିଥାଏ। କିନ୍ତୁ ସେସବୁକୁ ସାମ୍ନା କରି ଆମକୁ ଆଗକୁ ଯିବାକୁ ହେବ। ନିଜର ଦକ୍ଷତା ଏବଂ ସାଧନା ସହ ଧୌର୍ଯ୍ୟ ଓ ନିଷ୍ଠା ଉପରେ ଜୋର୍ ଦେଲେ ଆମକୁ ସବୁ କାମରେ ନିଶ୍ଚୟ ସଫଳତା ମିଳିପାରିବ”, କହିଛନ୍ତି ଊଷା ପାଢ଼ୀ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ।

ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତି କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ନୂଆ ଅନୁଭବ ହାସଲ କରିଛି । ବିଭିନ୍ନ ପ୍ରତିଷ୍ଠିତ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନି ଓଡ଼ିଶା ଆସି ଏହି କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ଏହି ସଫଳତାକୁ ଆଧାରକରି ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରମୁଖ ନିଯୁକ୍ତିଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଆର୍ସେଲର ମିତ୍ତଲ ଏବଂ ନିପନ୍ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଜି, ସିଏସଆର ମୁଖ୍ୟ ବିକାଶ ୟାଦବେନ୍ଦୁ ଏବଂ ବିବାନ୍ତା ହୋଟେଲ ଚେନର ସିଜିଏମ ଆଶୀର୍ବାଦ ପ୍ରହରାଜଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକଙ୍କ ସହିତ ନିର୍ଦ୍ଦେଶକ (ଏକାଡେମୀ), ନିର୍ଦ୍ଦେଶକ (ପ୍ରଶାସନ) ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ତାଲିମ ନେଇ ବାହାରିଛନ୍ତି । ୨୦୨୩-୨୪ ତାଲିମ ବର୍ଷ ଲାଗି କେନ୍ଦ୍ରରେ ୨୨୦୦ ସିଟରେ ନାମଲେଖା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ବିଶ୍ୱସ୍ତରୀୟ ତଥା ଶିଳ୍ପ-ଉପଯୋଗୀ ଅତ୍ୟାଧୁନିକ ତାଲିମ ଅନୁଷ୍ଠାନ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶର ଏକ ଅନନ୍ୟ ଅନୁଷ୍ଠାନ ଭାବେ ପରିଚୟ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୌଧର ବହୁମୁଖୀ ପ୍ରେକ୍ଷାଳୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଏବଂ ଫାକ୍ୟୁଲିଟି ଅଫ୍‍ ଟେକ୍ନୋଲୋଜି ତଥା ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ର୍ନିମିତ ହେବାକୁ ଥିବା ଏକାଡେମିକ୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧ ମଇ ୧୯୨୨ ରେ ପ୍ରତିଷ୍ଠା ହୋଇଥିଲା। ଗତ ଶହେ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ବହୁ ପରିମାଣରେ ସମ୍ପ୍ରସାରିତ ହୋଇଛି ଏବଂ ବର୍ତ୍ତମାନ ଏହାର ୮୬ ଟି ବିଭାଗ, ୯୦ ଟି କଲେଜ, ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଦେଶ ର୍ନିମାଣରେ ଏହା ବହୁତ ବଡ ଅବଦାନ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜାନୁଆରି ୭ରେ ଏମ୍ସ ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବ: ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ମାସ ୭ ତାରିଖରେ ଏମ୍ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ ଯୋଗଦେବେ। ଏଥିସହିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେବା ନେଇ ଆଜି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବିୟ ଏମ୍ସ ଭୁବନେଶ୍ବର ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏନ୍ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍ ସମେତ ୩୬ଟି ଶଯ୍ୟା ରହିଛି। ୨୫ ଅଗଷ୍ଟ ୨୦୧୮ରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ଏଥିସହିତ ସମାବର୍ତ୍ତନ ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ବାରା ଏମ୍ସରେ ଏକ କ୍ରିଟିକାଲ୍ କେୟାର ହସ୍ପିଟାଲ୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍-ଆଭିମ୍) ଯୋଜନା ଅନ୍ତର୍ଗତ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ରେ ବ୍ୟୟ ଅଟକଳ ପ୍ରାୟ ୧୯୨ କୋଟି ରଖାଯାଇଛି। କୋଭିଡ୍ ମହାମାରୀ ପରେ ସଂକ୍ରମଣଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍ କେୟାର୍ ହସ୍ପିଟାଲ ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବେ। ଶ୍ରେଷ୍ଠ ବିଦାୟୀ ଏମବିବିଏସ୍ ଗ୍ରାଜୁଏଟ୍ ଭାବରେ ଡ. ଅନିଲ ଦାସ ଏବଂ ଶ୍ରେଷ୍ଠ ବିଏସସି (ସମ୍ମାନ) ନର୍ସିଂ ଗ୍ରାଜୁଏଟ୍ ଭାବେ ଶୁଭ୍ରଜ୍ୟୋତି ବାରିକଙ୍କୁ ସମ୍ବର୍ନ୍ଧିତ କରାଯିବାନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ଏଥିସହିତ ଚଳିତ ବର୍ଷ ଏମ୍ସ ଭୁବନେଶ୍ବର ପ୍ରତିରୋପଣର ବର୍ଷ ଭାବେ ପରିଗଣିତ କରି ଆଗାମୀ ଦିନରେ ଲିଭର୍(ଯକୃତ), ବୋନ୍ ମ୍ୟାରୋ(ଅସ୍ଥିମଜ୍ଜା), କର୍ଣ୍ଣିଆ ଆଦି ପ୍ରତିରୋପଣ ଆରମ୍ଭ କରିବାକୁ ଯୋଜନା ରଖିଛି। ଯାହାକି ଆଗାମୀ ଦିନରେ ସରକାରୀ ସ୍ତରରେ ଏହି ବ୍ୟବସ୍ଥା ସାଧାରଣଲୋକଙ୍କୁ ବେଶ୍ ସହାୟକ ହେବ।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିନ୍ ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଏମ୍ସ ଭୁବନେଶ୍ୱରର ସଫଳତାର ଏକ ଦଶନ୍ଧି ଯାତ୍ରା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବା ଏକ ପ୍ରଦର୍ଶନୀ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୩ ମସିହାରେ ଦୂରଦୃଷ୍ଟି ସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ଏମ୍ସ ଭୁବନେଶ୍ବର। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଛି। ଗବେଷଣା, ସ୍ବାସ୍ଥ୍ୟସେବା ଆଦି କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଆଶା ଭରସା ଜିଣିବା ସହିତ ଏକ ଦଶନ୍ଧିର ଗୌରବମୟ ଯାତ୍ରା ପୂରଣ କରିଛି ଏମ୍ସ ଭୁବନେଶ୍ବର।
ଉଲ୍ଲେଖଯୋଗ୍ୟଯେ ଏହି ଏକ ଦଶନ୍ଧି ଯାତ୍ରା ମଧ୍ୟରେ ଏମ୍ସ ଭୁବନେଶ୍ୱର ଅନେକ ପ୍ରଶଂସାର ହକଦାର ହୋଇଛି। ଇତିମଧ୍ୟରେ ଏଠାରେ କିଡ୍ନୀ ପ୍ରତିରୋପଣ ଆରମ୍ଭ ହୋଇସାରିଛି।

ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦେଶର ସର୍ବୋତ୍ତମ ୨୦ ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନିତ ହୋଇଛି। ସେହିପରି ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ ଅନୁସାରେ ଏହି ଅନୁଷ୍ଠାନ ମେଡିକାଲ୍ ବର୍ଗରେ ଶ୍ରେଷ୍ଠ ୨୦ତମ ସ୍ଥାନ ପାଇଛି। ଏଥିସହ ଏମ୍ସ ନୂଆଦିଲ୍ଲୀ ପରେ ଏମ୍ସ ଭୁବନେଶ୍ୱର ଜାତୀୟ ଯୋଗ୍ୟତା-ପ୍ରବେଶ ପ୍ରବେଶ ପରୀକ୍ଷା (ନିଟ୍) ଯୋଗ୍ୟ ପ୍ରାର୍ଥୀଙ୍କ ଶ୍ରେଷ୍ଠ ଦ୍ୱିତୀୟ ପସନ୍ଦ ପାଲଟିଛି। ଗତବର୍ଷ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ଦ୍ବାରା ଏମ୍ସ ଭୁବେନେଶ୍ବରକୁ ଦେଶର ୨୬ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବରେ ସ୍ଥାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡ଼କ୍ଟର ଉପାଧିରେ ସମ୍ମାନିତ ହେଲେ ଚାନ୍ଦବାଲି ବିଧାୟକ ଡ଼.ବ୍ୟମୋକେଶ ରାୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ ତମ ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ପ୍ରଫେସର ସୁଧାକର ପଣ୍ଡା (ଏନ.ଆଇ.ଏସ.ଇ.ଆର ଅଧ୍ୟକ୍ଷ), ଅଭୟ କୁମାର ନାୟକ (ରେଜିଷ୍ଟାର,ଉତ୍କଳ ବିଶ୍ୱବିଦ୍ୟାଳୟ), ସରତ କୁମାର ମାଝି (ପରୀକ୍ଷା ନିୟନ୍ତ୍ରକ,ଉତ୍କଳ ବିଶ୍ୱବିଦ୍ୟାଳୟ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପରୀକ୍ଷାରେ ଉତ୍ତମ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ୨୦୧୭-୨୦୧୯ ବର୍ଷର ପ୍ରତିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ ଉପାଧି ପ୍ରଦାନ କରାଯାଇଥିଲା।

ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.ବ୍ୟମୋକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡ଼କ୍ଟର ଅଫ ଫିଲୋସୋଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।

ଶେଷରେ ଏହି ସମ୍ମାନରେ ସମ୍ମାନିତ ହୋଇ ଖୁସି ହେବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନ ଓ ଗାରିମା ବିଷୟରେ ମତବ୍ୟକ୍ତ କରିଥିଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ।