ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ୭ ଏପ୍ରିଲ ଭୋର ସମୟରେ ଘଟିଥିବା ପୋଲିସ୍ ଦମନକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ–ଲେନିନବାଦୀ) ଲିବରେସନ ଓ ଅଲ୍ ଇଣ୍ଡିଆ ଫର୍ୱାର୍ଡ ବ୍ଲକର ଏକ ମିଳିତ ବୈଠକ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇ ଏହି ୪ଦଳର ରାଜ୍ୟ ସମ୍ପାଦକ ଯଥାକ୍ରମେ ଡଃ ପ୍ରଶାନ୍ତ କୁମାର ମିଶ୍ର, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣା ଅନୁସୂଚିତ ଅଞ୍ଚଳର ଆଦିବାସୀମାନଙ୍କ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଉପରେ ସ୍ପଷ୍ଟ ଆକ୍ରମଣ।
ଭୋର ପ୍ରାୟ ୩ଟା ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁକୁ ଘେରାଉ କରି ପ୍ରଥମେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଲୁହବୁହା ଗ୍ୟାସ୍ ପ୍ରୟୋଗ, ଘରଦ୍ୱାର ଭାଙ୍ଗିବା ଓ ବ୍ଲାଙ୍କ ଫାୟାରିଂ ମାଧ୍ୟମରେ ଗ୍ରାମବାସୀଙ୍କୁ ଭୟଭୀତ କରାଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ସମୟରେ ପୁରୁଷ ଓ ମହିଳାମାନଙ୍କୁ ମାଡ଼ ମରାଯାଇଥିବା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗରେ ଗୋଟିଏ ପଶୁର ପ୍ରାଣହାନୀ ଘଟିଥିବା ଖବର ମିଳିଛି। ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛି।
ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ଡବଲ ବିପର୍ଯ୍ୟୟ ଆଣିଛି। ଆଦିବାସୀ ରାଷ୍ଟ୍ରପତି ଓ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଆଦିବାସୀମାନଙ୍କ ଉପରେ ଏପରି ରାଷ୍ଟ୍ର ପ୍ରାୟୋଜିତ ଦମନ ଚାଲିଥିବା ଦୁଃଖଦ ଓ ଚିନ୍ତାଜନକ। ଖଣି ଖନନ, ବଳପୂର୍ବକ ଜମି ଅଧିଗ୍ରହଣ, ନିଷ୍ଠୁର ଦମନ ଓ ଅମାନବୀୟ ବିସ୍ଥାପନ ବିରୋଧରେ ଲୋକଙ୍କ ପ୍ରତିରୋଧ ସଂଗ୍ରାମ ଆହୁରି ତୀବ୍ର ହେବ ବୋଲି ଚାରି ବାମ ଦଳ ମତ ପ୍ରକାଶ କରିଛନ୍ତି। ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ଉଦ୍ଦେଶ୍ୟରେ କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତରେ ଧାରା ୧୬୩ (ବି.ଏନ୍.ଏସ୍) ଜାରି ହୋଇଛି।
ଏହି ଆଦେଶ ଅନୁଯାୟୀ ରାସ୍ତାର ୧୦୦ ମିଟର ମଧ୍ୟରେ ଚାରିଜଣରୁ ଅଧିକ ଲୋକ ଏକତ୍ରିତ ହେବାକୁ ନିଷେଧ କରାଯାଇଛି। ଗୋଷ୍ଠୀଭିତ୍ତିକ ଆଦିବାସୀ ଜୀବନ-ଯାପନକୁ ଧ୍ୟାନରେ ରଖିଲେ, ଏହି ନିଷେଧାଦେଶ ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ସହ ଦୈନନ୍ଦିନ ଜୀବନ, ଚାଷବାସ, ଜଙ୍ଗଲ ଉତ୍ପାଦ ସଂଗ୍ରହ ଓ ସାମାଜିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିବ। ଗ୍ରାମସଭାର ଅନୁମତି ବିନା ଏପରି ପ୍ରକଳ୍ପ ଘୋଷଣା ସଂବିଧାନିକ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ।
ଚାରି ବାମ ଦଳର ଦାବି:
* ଧାରା ୧୬୩ (ବି.ଏନ୍.ଏସ୍) ଜାରି ନିଷେଧାଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ।
* ଗ୍ରାମସଭାର ଅନୁମତି ବିନା ସମସ୍ତ ଖଣି ଖନନ ପ୍ରକ୍ରିୟା ଓ ପ୍ରକଳ୍ପ ବନ୍ଦ କରାଯାଉ।
* ବେଦାନ୍ତ ପାଇଁ ହେଉଥିବା ରାସ୍ତା ନିର୍ମାଣ ତୁରନ୍ତ ବନ୍ଦ କରାଯାଉ।
* ସିଜିମାଳି ଅଞ୍ଚଳରୁ ପୋଲିସ୍ ମୁତୟନ ପ୍ରତ୍ୟାହାର କରାଯାଉ ଓ ଦମନ ବନ୍ଦ କରାଯାଉ।
* ପେସା ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।
* ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଓଡ଼ିଶାର ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ।
ଏହା ସହ ଚାରି ବାମ ଦଳ ଘୋଷଣା କରୁଛନ୍ତି ଯେ ଶୀଘ୍ର ବାମ ଦଳମାନଙ୍କର ଏକ ମିଳିତ ପ୍ରତିନିଧି ଦଳ ସିଜିମାଳି ଓ ପାଶ୍ୱର୍ବତୀ ଅଞ୍ଚଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିବେ, ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ପ୍ରଶାସନକୁ ଭେଟିଵେ।
ଆଦିବାସୀମାନଙ୍କ ଜଳ–ଜମି–ଜଙ୍ଗଲ ଓ ଜୀବନ–ଜୀବିକା ଉପରେ ଏପରି ଆକ୍ରମଣ ବନ୍ଦ ନହେଲେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଗଢ଼ିଉଠିବ ଓ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଚାରି ବାମ ଦଳମାନେ ସତର୍କ କରାଇଛନ୍ତି। ଏହି ବୈଠକରେ ସିପିଆଇ ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ଯ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଜୟନ୍ତ ଦାସ, ପୁର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ସିପିଆଇ(ଏମ୍) ର ସମ୍ପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ ଓ ଵଦ୍ରୀ ନାରାୟଣ ଦାଶ, ସିପିଆଇ(ଏମ୍ଏଲ୍) ଲିଵରେଶନ ପୁର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ଵ୍ଲକର ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।


