ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିସ୍ରା ପୋଡ଼ା ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଛନ୍ତି ଯେ, “ଗ୍ରୀଷ୍ମ ରୁତୁରେ ଅଳ୍ପ ଜଳପାନ, ଅଧିକ କଟୁ, ମସଲା ଆମିଷ, ଅମ୍ଳ ଯୁକ୍ତ ଖାଇବା, ରାତି ଅନିଦ୍ରା, ଖରାରେ ପରିଶ୍ରମ କରିବା ଦ୍ୱାରା ପିତ୍ତ, ଅମ୍ଳ ଶରୀରରେ ବଢି ପରିସ୍ରା ଯନ୍ତ୍ର ସଂକ୍ରମଣ ହୁଏ। ଅପରିଷ୍କାର ସ୍ଥାନରେ ପରିସ୍ରା କଲେ ମଧ୍ୟ ସଂକ୍ରମିତ ହୁଏ। ପରିସ୍ରା ହଳଦିଆ, ଗୋଳିଆ, ଦାହ ଓ କଷ୍ଟର ସହ ଅଳ୍ପ ଅଳ୍ପ ହୁଏ। ସାଧାରଣ ଜ୍ୱର ମଧ୍ୟ ରହେ। ଏହି କଷ୍ଟ ଦାୟକ ରୋଗରୁ ମୁକ୍ତି ପାଇଁ ଅଧିକ ଶୁଦ୍ଧ ଜଳ ପାନ କରନ୍ତୁ, ଶୀତଳାମରିଚ ସାତଟି ବା ଘୃତ କୁମାରୀ ଦଶ ଗ୍ରାମ ବା ଚନ୍ଦନ ଘୋରା ଏକ ଚାମୁଚ ଦିନରେ ତିନିଥର ସେବନ କଲେ ଉପଶମ ମିଳେ। ଅଧିକ ଖରଭୁଜ, କାକୁଡି, ପିଆଜ ଓ ଅଁଳା ଖାଇଲେ ମଧ୍ୟ ଲାଭ ମିଳିପାରେ।”
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।
ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହେଉଛି। ଏହାର ସୁଯୋଗ ନେବା ପାଇଁ ଡଃ ସାହୁ ଅନୁରୋଧ କରିଛନ୍ତି।


