ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ମେଣ୍ଟ ରାଜନୀତି ପୁରୁଣା ନୁହେଁ, ପୂର୍ବରୁ ବିଜେଡ଼ି-ବିଜେପି ମେଣ୍ଟ ସରକାର ଥିଲା, ମାତ୍ର ବିଜେଡ଼ି ବହୁ ବର୍ଷ ଧରି ସମଦୂରତା ରଖି ଆସିଥିଲା। ମାତ୍ର ନିର୍ବାଚନ ହାରିବା ପରେ ବିଜେଡ଼ି ଓ କଂଗ୍ରେସ ମେଣ୍ଟ କରିବା ପାଇଁ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟରେ ଏବେ ବିଜେପି ଶାସନ। ଏହି ସମୟରେ ଦୁଇ ବିରୋଧୀ ମେଣ୍ଟ କରିବାକୁ ନେଇ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି। ଏହି ଚର୍ଚ୍ଚାକୁ ନେଇ ସବୁ ଦଳ ତରଫରୁ ପ୍ରତ୍ରକ୍ରିୟା ଆସିଛି।
ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢନ୍ତୁ ବୋଲି କହିଛନ୍ତି। ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଶୁଭଙ୍କର। ବିରୋଧ ପାଇଁ ବିରୋଧ ନ କରି ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ ଆମେ ଚାଂହୁଛୁ ସବୁ ଦଳ ମିଶିକି ଗୋଟିଏ ବିରୋଧୀ ଦଳ ହୁଅନ୍ତୁ। ସେମାନେ ବିଜେପି ବିରୋଧରେ ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ। ବିରୋଧ ପାଇଁ ବିରୋଧ ନ କରି ଓଡ଼ିଶାର ଉନ୍ନତି ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ମନମୋହନ ସାମଲ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି-କଂଗ୍ରେସ ଏକାଠି ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଧରିଥିଲା। ମାତ୍ର ବିଜେଡ଼ିର ଦେବୀ ମିଶ୍ର ଏହି ମେଣ୍ଟ ଚର୍ଚ୍ଚାର ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜନୀତିରେ ଏମିତି ଚର୍ଚ୍ଚା ସ୍ୱାଭାବିକ। ନିର୍ବାଚନକୁ ବହୁତ ସମୟ ଅଛି ଓ ମେଣ୍ଟ ନେଇ ସମସ୍ତ ନିଷ୍ପତ୍ତି ଦଳର ସଭାପତି ନେବେ ବୋଲି କହିଛନ୍ତି ଦେବୀ ମିଶ୍ର। ଅପରପକ୍ଷରେ ପିସିସି ସଭାପତି ହାଇକମାଣ୍ଡ ଚାହିଁଲେ ମେଣ୍ଟ ହେବ ବୋଲି କହିଛନ୍ତି।
ଅପରପକ୍ଷେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମେଣ୍ଟ ସମ୍ଭାବନା ଦେଖାଯାଉନାହିଁ। ମେଣ୍ଟ ହେଲେ କ୍ରଂଗେସକୁ ଭଲ ଫଳ ମିଳିବ ନାହିଁ। ମାତ୍ର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି। ମେଣ୍ଟକୁ ନେଇ ଅନେକ କଳ୍ପନା ଜଳ୍ପନା ରହିଛି, ଆଗାମୀ ସମୟରେ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ ହେବ।


