ଭୁବନେଶ୍ୱର: ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ନେଇ “ପ୍ରଶାସନ ପାଇଁ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ” ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଆୟୋଜନ କରିଛି। ଏହି ଜାତୀୟ ସମ୍ମିଳନୀର ଲକ୍ଷ୍ୟ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ ନିମନ୍ତେ କାର୍ଯ୍ୟଯୋଜନା ଓ ସମୟସୀମା ଉପରେ ସହମତି ସୃଷ୍ଟି କରିବା। ଏଥିରେ ୩୧ରୁ ଅଧିକ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ସରକାର, କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ, ଗବେଷକ ଏବଂ ଆନ୍ତର୍ଜାତୀୟ ସଂଗଠନ / ଶିକ୍ଷାନୁଷ୍ଠାନ / ଘରୋଇ ସଂଗଠନର ୩୦୦ରୁ ଅଧିକ ବୈଷୟିକ ବିଶେଷଜ୍ଞ ଓ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ସମାନ ମାନକ ଗ୍ରହଣ କରିବା ଏବଂ ଉତ୍ତମ ନୀତି ନିର୍ଦ୍ଧାରଣ ତଥା ପ୍ରଶାସନ ପାଇଁ ଆନ୍ତଃପରିଚାଳିତ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ।
କାର୍ଯ୍ୟକ୍ରମ ଆରମ୍ଭରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ପ୍ରଶାସନ ମହାନିର୍ଦ୍ଦେଶକ ପି.ଆର ମହେଶ୍ରମ ସ୍ୱାଗତ ଭାଷଣ ଦେଇଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ କହିଥିଲେ, ତଥ୍ୟ ସମ୍ପର୍କରେ ଏକ ସକାରାତ୍ମକ ଏବଂ ଖୋଲା ମନୋଭାବ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ରହିଛି। ପ୍ରତିବନ୍ଧକ ଦୂର କରି ବିଭିନ୍ନ କ୍ଷେତ୍ରରେ ଖୋଲା, ମାନକୀକୃତ ଏବଂ ଆନ୍ତଃପରିଚାଳିତ ତଥ୍ୟକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ।
ଉଦଘାଟନୀ ଭାଷଣରେ, ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗୁରୁତ୍ୱାରୋପ କରି କହିଥିଲେ, ତଥ୍ୟ ହେଉଛି ସମୟର ଆବଶ୍ୟକତା। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ବିକଶିତ ଭାରତ ୨୦୪୭ ଏବଂ ଓଡ଼ିଶାର ୨୦୩୬ ଲକ୍ଷ୍ୟ ହାସଲ ପାଇଁ ଏହାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ବିଶେଷକରି ତଥ୍ୟ-ଚାଳିତ ନୀତି ନିର୍ଦ୍ଧାରଣ ମାଧ୍ୟମରେ କୃଷି ଓ ଶକ୍ତି କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଦାୟିତ୍ୱର ସହ ତଥ୍ୟର ଉପଯୋଗ କରାଯିବା ଉଚିତ। ଖୋଲାପଣ ଓ ଜରୁରୀ ଗୋପନୀୟତା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ।
କ୍ଷମତା ବିକାଶ ଆୟୋଗର ଅଧ୍ୟକ୍ଷ ରାଧା ଚୌହାନ କହିଥିଲେ, କୃତ୍ରିମ ବୁଦ୍ଧିମତ୍ତାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରି, ଦୁଇଟି ପ୍ରମୁଖ ସ୍ତମ୍ଭ ଯଥା ପ୍ରଯୁକ୍ତିବିଦ୍ୟା ଓ ଢାଞ୍ଚାଗତ ଗ୍ରହଣୀୟତା ଉପରେ ସନ୍ତୁଳିତ ଧ୍ୟାନ ଦେଇ ପ୍ରଶାସନ ଓ ସେବା ପ୍ରଦାନ ଉଭୟକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ବର୍ତ୍ତମାନର ପ୍ରକ୍ରିୟାଗୁଡ଼ିକର ପୁନଃବିଚାର ଏବଂ ପୁନଃନିର୍ମାଣ ଆବଶ୍ୟକ।
ସମ୍ମିଳନୀର ଉଦଘାଟନୀ ଅଧିବେଶନରେ, “ଡାଟା ଡିଭିଡେଣ୍ଡ” ଉପରେ ଏକ ଭିଡିଓ ସମ୍ମିଳନୀର ବିଷୟବସ୍ତୁ ସମ୍ପର୍କରେ ସାରାଂଶ ପ୍ରଦର୍ଶନ କରିଥିଲା। ସମ୍ମିଳନୀ ଅବସରରେ ‘‘ଭାରତରେ ମହିଳା ଓ ପୁରୁଷ ୨୦୨୫ : ମନୋନୀତ ସୂଚକ ଓ ତଥ୍ୟ’’ ପ୍ରକାଶ କରିଥିଲା। ଏହା ଭାରତରେ ଲିଙ୍ଗଗତ ଦୃଶ୍ୟପଟର ଏକ ବ୍ୟାପକ ସାରାଂଶ ପ୍ରଦାନ କରିଥାଏ। ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ / ସଂଗଠନରୁ ପ୍ରାପ୍ତ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଅଂଶଗ୍ରହଣ ଏବଂ ନିଷ୍ପତ୍ତି ଗ୍ରହଣ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ମନୋନୀତ ସୂଚକ ଓ ତଥ୍ୟ ଉପସ୍ଥାପନ କରିଥାଏ।
ଗତକାଲି ପ୍ରଥମ ଦିନରେ ସମ୍ମିଳନୀର ବିଷୟବସ୍ତୁ ଉପରେ ବିଚାରବିମର୍ଶ କରାଯାଇଥିଲା। ଆଲୋଚନାରେ ଏକ ବହୁ-ଉତ୍ସ ଇକୋସିଷ୍ଟମ ମାଧ୍ୟମରେ ପ୍ରଶାସନିକ ତଥ୍ୟକୁ ସୁସଙ୍ଗତ କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ଯାହା ଡାଟା ପ୍ରତିବନ୍ଧକ, ଆନ୍ତଃପରିଚାଳନାଗତ ବ୍ୟବଧାନ ଏବଂ ଡାଟା ଗୁଣବତ୍ତା ଭଳି ସମସ୍ୟାଗୁଡ଼ିକର ସମାଧାନ କରିବ। କର୍ମଶାଳାର ଦ୍ୱିତୀୟ ଦିନରେ ତଥ୍ୟ ଢାଞ୍ଚା, ମେଟା ତଥ୍ୟ ମାନକ, ଡାଟା ମଡେଲିଂ, ଜ୍ଞାନ ଗ୍ରାଫ, ତଥ୍ୟ ଗୁଣବତ୍ତା ଆଦିର ସୁଦୃଢ଼ିକରଣ ଉପରେ ଆଲୋଚନା ହୋଇଥିଲା।
ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଓଡ଼ିଶା ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ୬୦୦ରୁ ଅଧିକ ପରିସଂଖ୍ୟାନ କର୍ମଚାରୀଙ୍କ ନିଯୁକ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଅନୁରୂପ ଡାଟା ପଲିସି ୨.୦ର କାର୍ଯ୍ୟକାରିତା, ତଥ୍ୟ ପ୍ରଚାର ନୀତି ଏବଂ ଏକ ସକ୍ରିୟ ପରିସଂଖ୍ୟାନ ୱେବ ପୋର୍ଟାଲ ଆଦି ସମ୍ପର୍କରେ ସୂଚନା ଦେଇଥିଲେ। ସଂଘୀୟ ଢାଞ୍ଚା ଦ୍ୱାରା ସମର୍ଥିତ ମାନକ ଆଧାରିତ ଆନ୍ତଃପରିଚାଳନା ଯୋଗ୍ୟ ପଦ୍ଧତି ତଥ୍ୟର ମୂଲ୍ୟ ଉଜାଗର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।


