ୱାଶିଂଟନ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଏକ ନୂତନ ମୋଡ଼ ଆସିଛି। ଇରାନ ତରଫରୁ ଦିଆଯାଇଥିବା ୧୪ ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ଇରାନର ନୂତନ ପ୍ରସ୍ତାବର ସମୀକ୍ଷା କରୁଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇରାନ ତା’ର ପୂର୍ବ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ। ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ଶୀଘ୍ର ଇରାନ ଆମକୁ ପଠାଇଥିବା ଯୋଜନାର ସମୀକ୍ଷା କରିବି। କିନ୍ତୁ ମୁଁ ଭାବୁନାହିଁ ଯେ ଏହା ଗ୍ରହଣୀୟ ହେବ କାରଣ ସେମାନେ ଗତ ୪୭ ବର୍ଷ ଧରି ମାନବତା ଏବଂ ବିଶ୍ୱ ପ୍ରତି ଯାହା କରିଛନ୍ତି ତାହାର ଭାରୀ ମୂଲ୍ୟ ଦେଇନାହାଁନ୍ତି।
ସୂଚନାଯୋଗ୍ୟ, ତେହେରାନର ୧୪-ସୂତ୍ରୀ ପ୍ରସ୍ତାବ ଲେବାନନରେ ଉତ୍ତେଜନା ସମେତ ସମସ୍ତ ମୋର୍ଚ୍ଚାରେ “ଯୁଦ୍ଧ ସମାପ୍ତ” ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରଦାନ କରୁଛି । ଏହା ଏକ ଅସ୍ଥାୟୀ ଯୁଦ୍ଧବିରତିକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏବଂ ୩୦ ଦିନ ମଧ୍ୟରେ ଏକ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ କରେ।
ଆହୁରି ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ, ଇରାନ ସମସ୍ତ ଆମେରିକା ଏବଂ ଅନ୍ତର୍ଜାତୀୟ କଟକଣା ପ୍ରତ୍ୟାହାର କରିବାକୁ ଦାବି କରିଛି। ପ୍ରସ୍ତାବରେ ସୁଗମ ସାମୁଦ୍ରିକ ବାଣିଜ୍ୟ ସୁନିଶ୍ଚିତ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ପାଇଁ ଏକ ନୂତନ ବ୍ୟବସ୍ଥା ପାଇଁ ମଧ୍ୟ କୁହାଯାଇଛି।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ଏକ ଚୁକ୍ତି ଚାହୁଁଛି, କିନ୍ତୁ ଏହାର ନେତୃତ୍ୱ “ଭଗ୍ନ” ହୋଇଯାଇଛି। ସେ ଏହା ମଧ୍ୟ ସୂଚାଇଛନ୍ତି ଯେ ଆବଶ୍ୟକ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ଏହି ଯୁଦ୍ଧ ଯୋଗୁଁ ବିଶ୍ଵବଜାରରେ ନିଆଁ ଲାଗିଛି। ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି।


