ଭୁବନେଶ୍ଵର: ଉତ୍ତମ ସ୍ଵାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ବିଶୁଦ୍ଧତାର ପ୍ରତୀକ ସାଜିଛି ଓମ୍ଫେଡ୍। ଓଡ଼ିଶାରେ ଶ୍ଵେତ ବିପ୍ଲବକୁ ଆଗେଇ ନେବା ସହ ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ-ଜୀବିକାର ସମୃଦ୍ଧିରେ କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିଛି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ କହିଛନ୍ତି। ଆଜି ସ୍ଥାନୀୟ ଶହୀଦନଗର ସ୍ଥିତ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମୀକ୍ଷା ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା।
ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍) ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ମାନ୍ୟବର ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଦୁଗ୍ଧ ସମବାୟ ସମିତି, ବିଭିନ୍ନ ପ୍ଲାଣ୍ଟ, ଭିତ୍ତିଭୂମି ଉନ୍ନତିକରଣ ଆଦିରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସେଗୁଡିକର ତ୍ଵରିତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗି 1036.82 କୋଟି ଟଙ୍କାର କାରବାର କରିବା ସହ ନିଟ୍ ଲାଭ ୧୦.୨୩ କୋଟି ଟଙ୍କା ହୋଇଛି।
ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧରୀ ଯୋଗ ଦେଇ କହିଥିଲେ, ଦୁଗ୍ଧ ଚାଷୀଙ୍କ କଲ୍ୟାଣ ପାଇଁ ବିଭାଗ ପ୍ରତିବଦ୍ଧ ଅଛି। ସୋନପୁରଠାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏବଂ ଟାଙ୍ଗୀଠାରେ ୩୦ ହଜାରେ ଲିଟର କ୍ଷମତା ବିଶିଷ୍ଠ ନୂତନ ଡେରୀ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି।
ଭିତ୍ତିଭୂମି ବିକାଶ ଉପରେ ବିଭାଗ ଗୁରୁତ୍ଵ ଦେଉଥିବା ବେଳେ ବିଗତ ଦୁଇ ବର୍ଷ ମଧ୍ୟରେ ୧୦୬୧ ଗୋଟି ନୂତନ ଦୁଗ୍ଧ ସମବାୟ ସମିତି ପଞ୍ଜିକରଣ ହୋଇଛି। ଓମ୍ଫେଡ୍ର ଭବିଷ୍ୟତ ଯୋଜନା ସଂପର୍କରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବାଧାମୁକ୍ତ ଦୁଗ୍ଧକ୍ରୟ ବ୍ୟବସ୍ଥା ଗ୍ରହଣ କରିବା, ୨୦୩୦ ମସିହା ସୁଦ୍ଧା ୩.୨୮ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମୃଦ୍ଧି ସୁନିଶ୍ଚିତ କରିବା, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ସେ ଗୁରୁତ୍ଵ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଓମ୍ଫେଡ୍ ସଭାପତି କିଶୋରଚନ୍ଦ୍ର ପ୍ରଧାନୀ, ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘର କର୍ମକର୍ତ୍ତା, ବିଭିନ୍ନ ମିଲ୍କ ୟୁନିୟନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ୨୧ଟି ନୂତନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଛି। ୪୪୫୫ ଟି ଦୁଗ୍ଧ ସମବାୟ ସମିତି ଜରିଆରେ ପ୍ରାୟ ୩.୨୪ଲକ୍ଷ ଚାଷୀଙ୍କଠାରୁ ଦୈନିକ ହାରାହାରି ୬.୭୦ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି କାମଧେନୁ ଯୋଜନା ଆଶୀର୍ବାଦ ପାଲଟିଛି। ରାଜ୍ୟର ବିଭିନ୍ନ ବ୍ଲକରେ ୧୬୦ ଗୋଟି ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଉଛି।
ସେହିପରି ବିପଣନ ବିସ୍ତାର କରିବା ସହ ୟୁଏଚଟି ଲସି, ୟୁଏଚଟି କକୋଲେଟ ଶେକ୍, ଏ୨ ମିଲ୍କ, ଏ୨ ଘିଅ, ବାଲଟିଦହି, ଗୋଲାପ ଜାମୁ ଆଦି ନୂତନ ଉତ୍ପାଦ ବୃଦ୍ଧି କରି ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ବେଶ୍ ସକ୍ଷମ ହୋଇପାରିଛି।


