କଟକ: କଟକର ତ୍ରିଶୁଳିଆ ସ୍ଥିତ ସୁଭାଷ ସେତୁ ନିକଟ କାଠଯୋଡିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା କିଛି ଲୋକ ସେତୁ ଉପରେ ଏକ ବ୍ୟାଗ ଓ ଚପଲ ପଡ଼ିଥିବା ଦେଖି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ମହାନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇ କଟକ ଏସ୍ସିବି ମେଡିକାଲକୁ ପଠାଯାଇଛି।
ପୋଲିସ ଯୁବତୀଙ୍କ ବ୍ୟାଗରୁ ଏକ ମୋବାଇଲ ଫୋନ୍ ଓ ଡାକ୍ତରୀ ପ୍ରେସକ୍ରିପ୍ସନ ଜବତ କରିଛି। ସେଥିରୁ ମୃତ ଯୁବତୀଙ୍କ ପରିଚୟ ଚନ୍ଦ୍ରିକା ହେମ୍ବ୍ରମ (୨୮) ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯୁବତୀ ଜଣକ ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥାଇପାରନ୍ତି। ତେବେ ଏହା ଆତ୍ମହତ୍ୟା, ଦୁର୍ଘଟଣା ନା ଅନ୍ୟ କୌଣସି ଅପରାଧିକ ଘଟଣା, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ଘଟଣାର ପ୍ରକୃତ କାରଣ ଖୋଜିବାକୁ ପୋଲିସ ପ୍ରୟାସ ଜାରି ରଖିଛି।


