କୋରାପୁଟ: କୋରାପୁଟ ସହରର ୨୬ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ନିକଟରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୫.୨୫ରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକର ବ୍ରେକ୍ ଫେଲ୍ ହୋଇ ରାସ୍ତାକଡ଼ରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣାରେ ୮ଟି ବାଇକ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଟ୍ରକର ଚକା ଓ ଏକ୍ସେଲ୍ ଅଲଗା ହୋଇଯାଇଥିଲା। ଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା ଆହତ ଘଟଣା ହୋଇନାହିଁ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୧୯ରେ ମଧ୍ୟ ଏହି ସମାନ ସ୍ଥାନରେ ବ୍ରେକ୍ ଫେଲ୍ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୮ଟି ବାଇକ କ୍ଷତିଗ୍ରସ୍ତ ହୋଇଥିଲା। ସଂକୀର୍ଣ୍ଣ ଜାତୀୟ ରାଜପଥ ଓ ବାଇପାସ୍ ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।


