ରାଜସ୍ଥାନ କଂଗ୍ରେସରେ ପୁଣିଥରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂତ୍ରମାନଙ୍କ ସୂଚନା ଅନୁଯାୟୀ, କଂଗ୍ରେସ ହାଇକମାଣ୍ଡ ଯୁବ ନେତା ସଚିନ ପଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ଦେବା ନେଇ ଗୁରୁତ୍ୱର ସହ ବିଚାର କରୁଛି। ଯଦି ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୁଏ, ତେବେ ଏହା କେବଳ ରାଜସ୍ଥାନ ନୁହେଁ, ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସର ସଂଗଠନାତ୍ମକ ରଣନୀତିର ଏକ ବଡ଼ ସଙ୍କେତ ଭାବେ ଦେଖାଯିବ।
ଗତ କିଛି ମାସ ଧରି କଂଗ୍ରେସ ଦଳରେ ନେତୃତ୍ୱ ସ୍ତରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଡ଼ି. କେ. ଶିବକୁମାରଙ୍କୁ ଆଗକୁ ଆଣିବା ହେଉ କିମ୍ବା ଅନ୍ୟ ରାଜ୍ୟଗୁଡ଼ିକରେ ସଂଗଠନକୁ ପୁନର୍ଗଠନ କରିବା—ଦଳ ନୂଆ ମୁହଁ ଓ ନୂଆ ଉର୍ଜା ଉପରେ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ ହେଉଛି। ଏହି ପରିପ୍ରେକ୍ଷୀରେ ସଚିନ ପାଇଲଟ୍ଙ୍କୁ ରାଜସ୍ଥାନର କମାଣ୍ଡ ଦେବା ଦଳର ‘ଜେନେରେସନ୍ ଶିଫ୍ଟ’ ରଣନୀତିର ଅଂଶ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି।
ରାଜସ୍ଥାନ କଂଗ୍ରେସର ରାଜନୀତିରେ ଅଶୋକ ଗେହେଲଟ ଏବଂ ସଚିନ ପାଇଲଟ୍ଙ୍କ ମଧ୍ୟରେ ମତଭେଦ ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। ଦୁଇ ନେତାଙ୍କ ମଧ୍ୟରେ ଶକ୍ତି ସଂଘର୍ଷ ଅନେକଥର ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା। ଏପରି ସ୍ଥିତିରେ ପାଇଲଟ୍ଙ୍କୁ ପୁଣିଥରେ ରାଜ୍ୟ ସଂଗଠନର ମୁଖ୍ୟ କରାଯିବା କଂଗ୍ରେସ ଭିତରେ ନୂଆ ସନ୍ତୁଳନ ସୃଷ୍ଟି କରିପାରେ।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହା ଯୁବ ନେତୃତ୍ୱକୁ ଆଗକୁ ଆଣିବା ସହ ରାଜ୍ୟରେ କଂଗ୍ରେସ ସଂଗଠନକୁ ପୁନଃ ସକ୍ରିୟ କରିବାର ଚେଷ୍ଟା ହୋଇପାରେ।
ରାଜସ୍ଥାନ ସମେତ ଅନେକ ରାଜ୍ୟରେ ୨୦୨୮ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଏବେଠାରୁ ସଂଗଠନକୁ ସୁଦୃଢ଼ କରିବାରେ ଲାଗିପଡ଼ିଛି। ଦଳର ମନେହେଉଛି ଯେ, ଜନାଧାର ଥିବା ଓ କର୍ମୀମାନଙ୍କ ମଧ୍ୟରେ ଲୋକପ୍ରିୟ ନେତାଙ୍କୁ ଆଗକୁ ଆଣିଲେ ନିର୍ବାଚନୀ ପ୍ରସ୍ତୁତି ଅଧିକ ମଜବୁତ ହେବ।
ପାଇଲଟ୍ ପୂର୍ବରୁ ମଧ୍ୟ ରାଜସ୍ଥାନ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଇ ସଂଗଠନକୁ ଶକ୍ତିଶାଳୀ କରିଥିଲେ। ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ତେଣୁ ତାଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦେବା ପାଇଁ ହାଇକମାଣ୍ଡ ଆଗ୍ରହୀ ଥିବା କୁହାଯାଉଛି।
ବର୍ତ୍ତମାନ ସଚିନ ପାଇଲଟ୍ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସହ ଛତିଶଗଡର ଦଳୀୟ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ତେବେ ରାଜସ୍ଥାନରେ ତାଙ୍କୁ ଅଧିକ ସକ୍ରିୟ ଭୂମିକା ଦେବା ପାଇଁ କେନ୍ଦ୍ରୀୟ ଦାୟିତ୍ୱରୁ ଆଂଶିକ ମୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।
ଦୀର୍ଘଦିନ ଧରି ରାଜ୍ୟର କର୍ମୀ ଓ ସମର୍ଥକମାନେ ପାଇଲଟ୍ଙ୍କୁ ରାଜସ୍ଥାନରେ ବଡ଼ ଭୂମିକା ଦେବାକୁ ଦାବି କରୁଥିଲେ। ଏବେ ସେହି ଦାବି ବାସ୍ତବ ରୂପ ନେଇପାରେ।
ସଚିନ ପାଇଲଟ୍ଙ୍କ ସମ୍ଭାବ୍ୟ ନିଯୁକ୍ତି କେବଳ ଏକ ସଂଗଠନାତ୍ମକ ପରିବର୍ତ୍ତନ ନୁହେଁ; ଏହା ଯୁବ ନେତୃତ୍ୱ, ନୂଆ ରଣନୀତି ଓ ଆଗାମୀ ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ରାଜନୈତିକ ସନ୍ଦେଶ ହୋଇପାରେ। ଏବେ ସବୁଙ୍କ ନଜର ରହିଛି ହାଇକମାଣ୍ଡର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ, ଯାହା ରାଜସ୍ଥାନ କଂଗ୍ରେସର ଭବିଷ୍ୟତ ଦିଗ ନିର୍ଦ୍ଦେଶ କରିପାରେ।


