କୋଲକାତା : ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ପାଇଁ ଆଉ ଏକ ବଡ଼ ଝଟକା ସୃଷ୍ଟି ହୋଇଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ଭଙ୍ଗର ବିସ୍ଫୋରଣ ମାମଲାରେ TMCର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଶୌକତ ମୋଲ୍ଲାଙ୍କୁ ଗିରଫ କରିଛି।
NIA ସୂତ୍ର ଅନୁଯାୟୀ, ଶୁକ୍ରବାର ଦକ୍ଷିଣ ୨୪ ପରଗଣା ଜିଲ୍ଲାରୁ ଶୌକତଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ‘ପଳାତକ’ ଘୋଷଣା କରାଯିବାର କିଛି ଘଣ୍ଟା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।
ଗତ ମାର୍ଚ୍ଚ ୧୯ ତାରିଖରେ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଦକ୍ଷିଣ ବାମୁନିଆ ଗାଁରେ ଘଟିଥିବା ଏକ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ। ତଦନ୍ତ ସମୟରେ ସେହି ସ୍ଥାନରେ ବେଆଇନ ଭାବେ ବୋମା ପ୍ରସ୍ତୁତ ହେଉଥିବା ଅଭିଯୋଗ ଉଠିଥିଲା।
NIAର ଜଣେ ଅଧିକାରୀ କହିଛନ୍ତି ଯେ, ଭଙ୍ଗର ବିସ୍ଫୋରଣ ଘଟଣାର ତଦନ୍ତ ଅନ୍ତର୍ଗତ ଶୌକତଙ୍କୁ ଗିରଫ କରାଯାଇଛି। ତାଙ୍କୁ ଆଦାଲତରେ ହାଜର କରାଯିବ ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ।
ଗୁରୁବାର NIA ଟିମ୍ ଜୀୱାଟାଲା ସ୍ଥିତ ଶୌକତ ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଥିଲା। ତେବେ ସେତେବେଳେ ସେ ଘରେ ନଥିବାରୁ ତାଙ୍କୁ ଧରାଯାଇପାରିନଥିଲା। ତଦନ୍ତକାରୀ ଅଧିକାରୀମାନେ ତାଙ୍କ ପୁଅ ଇମ୍ରାନ ମଲ୍ଲିକଙ୍କୁ ପଚରାଉଚରା କରିବା ସହ ଘରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ।
ଶୌକତଙ୍କ ଗିରଫ ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ଚାରିରେ ପହଞ୍ଚିଛି।
ଶୌକତଙ୍କ ଗିରଫ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକ ଏହାକୁ TMC ପାଇଁ ବଡ଼ ଅସୁବିଧା ବୋଲି କହୁଥିବା ବେଳେ, ତୃଣମୂଳ କଂଗ୍ରେସ ପକ୍ଷରୁ ଏନେଇ ତୁରନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ତେବେ ମାମଲାର ତଦନ୍ତ ଚାଲିଥିବାରୁ ଆଗାମୀ ଦିନରେ ଏହି ଘଟଣା ଆହୁରି ରାଜନୈତିକ ଗୁରୁତ୍ୱ ହାସଲ କରିପାରେ।


