ଗଜପତି: ମହେନ୍ଦ୍ରଗିରିର ପ୍ରସିଦ୍ଧ ମହେନ୍ଦ୍ର ମେଳା ଦେଖି ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିର ଯାତ୍ରା ହଠାତ୍ ଦୁଃଖରେ ପରିଣତ ହୋଇଛି। ଚିକିଟିର କରବାଲୁଆ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ସୃଷ୍ଟି ହୋଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ୫ ଜଣ ଗୁରୁତର ଆହତଙ୍କୁ ଏମକେସିଜି ମେଡିକାଲକୁ ପଠାଯାଇଥିଲା। ପରେ ଅନ୍ୟ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଉନ୍ନତ ଚିକିତ୍ସା ପାଇଁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।
କେତେକ ଆହତଙ୍କ ଅବସ୍ଥା ଚିନ୍ତାଜନକ ଥିବାରୁ ମୃତକ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।


