ଭୁବନେଶ୍ବର : ନିଟ୍ (UG) ପୁନଃପରୀକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ସହାୟତା ଘୋଷଣା କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ଯେପରି ସହଜରେ ପହଞ୍ଚିପାରିବେ, ସେଥିପାଇଁ OSRTC ବସ୍ରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ନିଟ୍ (UG) ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ OSRTC ବସ୍ରେ ବିନା ଭଡ଼ାରେ ଯାତ୍ରା କରିପାରିବେ।
ଆସନ୍ତା ୨୧ ତାରିଖରେ ନିଟ୍ (UG) ପୁନଃପରୀକ୍ଷା ଆୟୋଜିତ ହେବ। ଏହି ପରୀକ୍ଷା ପାଇଁ ରାଜ୍ୟର ୧୩୪ଟି କେନ୍ଦ୍ରରେ ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ବିଭିନ୍ନ ଜିଲ୍ଲାରୁ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଛାତ୍ରୀଛାତ୍ରମାନଙ୍କ ଯାତାୟାତ ସମସ୍ୟା କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପଞ୍ଜାବ ସରକାର ମଧ୍ୟ ନିଟ୍ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସମାନ ଘୋଷଣା କରିଥିଲେ। ସେଠାରେ ଜୁନ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ସହ ଯାଉଥିବା ଜଣେ ଅଭିଭାବକଙ୍କୁ ପଞ୍ଜାବ ରୋଡୱେଜ୍ର ସରକାରୀ ବସ୍ରେ ମାଗଣା ଯାତ୍ରା ସୁବିଧା ଦିଆଯିବାକୁ ଘୋଷଣା କରାଯାଇଥିଲା।


