ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍କୁଲ ଖୋଲିବା ସମୟକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ସୂଚନାଥାଉକି, ସାରା ରାଜ୍ୟରେ ଏବେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନକୁ ଦିନ ରୌଦ୍ରତାପ ବୃଦ୍ଧିପାଇବାରେ ଲାଗିଛି। ଏହି ଜୁନ୍ ମାସର ମଧ୍ୟଭାଗରେ ମଧ୍ୟ ଅସହ୍ୟ ତାତି ଅନୁଭୂତି ହେଉଛି। ଦିନର ତାପମାତ୍ରା ୪୦ ଡିଗ୍ରୀରୁ ୪୨ ଡଗ୍ରୀ ମଧ୍ୟରେ ରହୁଛି। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ପକ୍ଷରୁ ସୂଚନା ମିଳୁଛି। ସମଗ୍ର ଓଡ଼ିଶା ସହିତ ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମାଞ୍ଚଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି।
ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେଥିମଧ୍ୟରୁ ଝାରସୁଗୁଡ଼ାରେ ତାପମାତ୍ରା ୪୨.୫ ଡିଗ୍ରୀ, ସମ୍ବଲପୁରରେ ୪୧ ଡିଗ୍ରୀ, ବରଗଡ଼ ୪୦.୫ ଡିଗ୍ରୀ, କଳାହାଣ୍ଡି ୩୯ ଡିଗ୍ରୀ, ବଲାଙ୍ଗିରି ୩୮ ଡିଗ୍ରୀ, ନୂଆପଡ଼ାର ତାପ୍ରମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି।
ସେହିପରି ଉପକୂଳ ଅଞ୍ଚଳରେ ମଧ୍ୟ ପୂର୍ବାହ୍ନରେ ନାହିଁ ନଥିବା ଗୁଳୁଗୁଳି ଅନୁଭୂତ ହେଉଛି। ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଯେଉଁ କାଁ ଭାଁ ବର୍ଷା ହେଉଛି ତାହା ତାପମାତ୍ରାକୁ କମାଇ ପାରୁ ନାହିଁ ବରଂ ଆର୍ଦ୍ରତା ବୃଦ୍ଧିପାଇ ପ୍ରବଳ ଗରମ ଅନୁଭୂତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ମୌସୁମୀ ପ୍ରବାହ ନିଷ୍କ୍ରିୟ ରହିଛି। ଓଡ଼ିଶାର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ। ଯେଉଁଠି ଅଛି ଅଧା ଅଚଳ ଅବସ୍ଥାରେ ରହିଛି ।
ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ତା୧୮.୦୬.୨୦୨୬ ତାରିଖରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ସମଗ୍ର ଓଡ଼ିଶାରେ ଅସହ୍ୟ ଗୁଳୁଗୁଳିକୁ ଆଖିରେ ରଖି ଧାର୍ଯ୍ୟ କରାଯାଇଥିବା ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଉଛି। ବର୍ତ୍ତମାନ ଦିନ ୧୧ଟା ପରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇ ପଡ଼ୁଛି। ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଆଦି ଦିନବେଳେ ଚାଲୁଛି ସେଠାରେ କୁଲର, ଏସି, ଥଣ୍ଡା ପିଇବା ପାଣି ଆଦି ସୁବିଧା ଉପଲବ୍ଧ ଅଛି। କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନଥିବା ସତ୍ତ୍ୱେ ବିଦ୍ୟାଳୟରେ ଶିକ୍ଷାଦାନ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଆସନ୍ତା ଜୁନ୍ ମାସ ୧୮ତାରିଖରୁ ବିଦ୍ୟାଳୟଗୁଡିକୁ ନଖୋଲି ଘୁଞ୍ଚାଇ ଦେବାପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଉଛି। ତେଣୁ ଚଳିତ ଜୁନ୍ ମାସରେ ବିଦ୍ୟାଳୟ ଖୋଲାଯିବାର ଧାର୍ଯ୍ୟ ତାରିଖକୁ ବୃଦ୍ଧି କରାଯିବା ପାଇଁ ସଂଗଠନ ପକ୍ଷରୁ କୁହଯାଇଛି।
ଏହି ଅସ୍ୱାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ତାପମାତ୍ରା ହ୍ରାସ ନହେବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।


