ଆଠଗଡ: କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ତୀଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକସ୍ତବ୍ଧ କରିଦେଇଛି। ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହେବାରୁ ଦୁଇ ଜଣ ଶ୍ରମିକ ଏକ କୁଡିଆ ଘରେ ଆଶ୍ରୟ ନେଇଥିଲେ। କିନ୍ତୁ କିଛି କ୍ଷଣ ମଧ୍ୟରେ ବ୍ରଜପାତ ସେମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଗଲା।
ସୂଚନା ଅନୁସାରେ, ବିଷ୍ଣୁପୁର ଗାଁ ନିକଟସ୍ଥ ବିଲରେ କୃଷି କାମ ଚାଲିଥିବା ବେଳେ ଆକାଶରେ କଳା ବାଦଲ ଘନେଇ ଆସିଥିଲା ଏବଂ ପରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଦୁଇ ଜଣ ବ୍ୟକ୍ତି ନିକଟରେ ଥିବା ଏକ କୁଡିଆ ଘରେ ଆଶ୍ରୟ ନେଇଥିଲେ।
ହେଲେ ଦୁର୍ଭାଗ୍ୟବଶତଃ ସେହି କୁଡିଆ ଉପରେ ଭୟଙ୍କର ବ୍ରଜପାତ ହୋଇଥିଲା। ବ୍ରଜପାତର ତୀବ୍ରତା ଏତେ ଅଧିକ ଥିଲା ଯେ କୁଡିଆଟି ନିଆଁ ଧରିଯାଇଥିଲା ଏବଂ ଭିତରେ ଥିବା ଦୁଇ ଜଣ ଜିଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଏହି ଅକସ୍ମାତ ଦୁର୍ଘଟଣା ପରେ ସମଗ୍ର ବିଷ୍ଣୁପୁର ଗାଁରେ ଶୋକର ପରିବେଶ ଦେଖାଦେଇଛି। ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୋନପୁରରେ ମଧ୍ୟ ଜଣେ ଆଜି ବ୍ରଜାଘାତରେ ମୁର୍ତ୍ୟୁବରଣ କରିଛନ୍ତି । ବର୍ଷା ଋତୁ ଆରମ୍ଭ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ରଜପାତ ଘଟଣା ବୃଦ୍ଧି ପାଉଥିବା ବେଳେ ଏହି ଦୁର୍ଘଟଣା ପୁଣିଥରେ ସତର୍କତାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ବିଶେଷଜ୍ଞମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ବିଲ କିମ୍ବା ଅସୁରକ୍ଷିତ କୁଡିଆରେ ଆଶ୍ରୟ ନ ନେବାକୁ ପରାମର୍ଶ ଦେଇଆସୁଛନ୍ତି।


