ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ସାମ୍ନାକୁ ଆସିଥିବା ଭୟଙ୍କର ଅବ୍ୟବସ୍ଥା, ଅପାରଗତା, ଅଯୋଗ୍ୟତା ଓ ଅଦକ୍ଷତା ପାଇଁ ସି.ପି.ଆଇ(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଡବଲ ଇଞ୍ଜିନ୍ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା ଓ ପ୍ରତିବାଦ ଜଣାଇଛି।
ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପାଠ୍ୟପୁସ୍ତକରେ ମୋଟ ୧୬୭୮ଟି ବନାନ, ତଥ୍ୟଗତ, ଐତିହାସିକ, ଭୌଗୋଳିକ ଓ ପ୍ରସଙ୍ଗଗତ ତ୍ରୁଟି ଚିହ୍ନଟ ହୋଇଛି। ସରକାର ନିଜେ ଏହି ତ୍ରୁଟିଗୁଡ଼ିକୁ ସ୍ୱୀକାର କରି ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଏହା କେବଳ ଏକ ଭାଷାଗତ ତ୍ରୁଟି ନୁହେଁ, ବରଂ ସମଗ୍ର ଶିକ୍ଷା ବ୍ୟବସ୍ଥା ଉପରେ ଏକ ଗୁରୁତର ମୌଳିକ ବିଶୃଙ୍ଖଳା ଜନିତ ଆଘାତ।
ସାମ୍ନାକୁ ଆସିଥିବା କିଛି ଚାଞ୍ଚଲ୍ୟକର ତ୍ରୁଟି ହେଲା—
ବିଶ୍ୱବିଖ୍ୟାତ ବିଜ୍ଞାନୀ ଆଇଜାକ୍ ନ୍ୟୁଟନଙ୍କୁ ପାଇଲଟ୍ ଭାବେ ଉଲ୍ଲେଖ କରାଯାଇଛି।
କର୍ଣ୍ଣାଟକର ହମ୍ପି ଐତିହ୍ୟ ସ୍ଥଳକୁ କୋଣାର୍କ ସୂର୍ଯ୍ୟମନ୍ଦିର ବୋଲି ଦର୍ଶାଯାଇଛି।
ଇକ୍ୱିନକ୍ସ (Equinox) ପରିବର୍ତ୍ତେ ଇକ୍ୱେଟର (Equator) ଲେଖାଯାଇଛି।
ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ପ୍ରକାଶିତ ହୋଇଛି।
ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଅବସ୍ଥିତ ବୋଲି ଉଲ୍ଲେଖ କରାଯାଇଛି।
ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ଭାବେ ଲେଖାଯାଇଛି।
ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମ,ଐତିହାସିକ ଘଟଣା ଓ ଭୌଗୋଳିକ ସୂଚନାରେ ଅସଂଖ୍ୟ ତ୍ରୁଟି ରହିଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ପୁସ୍ତକଗୁଡ଼ିକ ପ୍ରସ୍ତୁତିରେ ଏସ.ସି.ଇ.ଆର.ଟି, ଶିକ୍ଷା ବିଭାଗ, ବିଷୟ ବିଶେଷଜ୍ଞ, ସମୀକ୍ଷକ ଓ ପ୍ରୁଫ୍ରିଡରମାନେ ସମ୍ପୃକ୍ତ ଥିବା ସତ୍ତ୍ୱେ ଏତେ ବିପୁଳ ସଂଖ୍ୟକ ତ୍ରୁଟି କିପରି ରହିଗଲା? ଏହା ଶିକ୍ଷା ବିଭାଗର ଅକ୍ଷମତା, ଅବହେଳା ଓ ଚରମ ଦାୟିତ୍ୱହୀନତାର ସ୍ପଷ୍ଟ ପ୍ରମାଣ।
ଅଧିକ ଉଦବେଗଜନକ ବିଷୟ ହେଉଛି ଯେ, ଏହି ପୁସ୍ତକଗୁଡ଼ିକ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ନିକଟରେ ବଣ୍ଟନ ହୋଇସାରିଛି। ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଏକାକୀ ୭୦୦ରୁ ଅଧିକ ତ୍ରୁଟି ଚିହ୍ନଟ ହେବା ଶିକ୍ଷା ବିଭାଗର କାର୍ଯ୍ୟକ୍ଷମତା ଏବଂ କର୍ଯ୍ୟ ଦକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ପାଠ୍ୟପୁସ୍ତକ ବିତରଣରେ ବିଳମ୍ବ,ପାଠ୍ୟପୁସ୍ତକ ଅଭାବ, ଭୁଲ ଐତିହାସିକ ତଥ୍ୟ ପ୍ରକାଶ ଇତ୍ୟାଦି ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ସରକାର କୌଣସି ଶିକ୍ଷା ଗ୍ରହଣ ନକରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।
ସି.ପି.ଆଇ(ଏମ୍) ଦୃଢ଼ ଭାବେ ମନେ କରୁଛି ଯେ, ଶିକ୍ଷା କ୍ଷେତ୍ରରେ ଏହି ଅବ୍ୟବସ୍ଥା ଡବଲ ଇଞ୍ଜିନ୍ ସରକାରର ବହୁଚର୍ଚ୍ଚିତ ଏବଂ ଆତ୍ମଘୋଷିତ ‘ଲୋକଙ୍କସରକାର’ ର ପ୍ରକୃତ ଚିତ୍ରକୁ ପଦାରେ ପକାଇ ଦେଇଛି। ଶିକ୍ଷାକୁ ପ୍ରାଥମିକତା ଦେବା ବଦଳରେ ସରକାର ପ୍ରଚାର ସର୍ବସ୍ୱ ରାଜନୀତିରେ ବ୍ୟସ୍ତ ରହିଛନ୍ତି।
ଦାବି:
୧. ପାଠ୍ୟପୁସ୍ତକରେ ଥିବା ସମସ୍ତ ତ୍ରୁଟି ତୁରନ୍ତ ସଂଶୋଧନ କରାଯାଉ।
୨. ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରି ସଂଶୋଧିତ ସଂସ୍କରଣ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ବିତରଣ କରାଯାଉ।
୩. ପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ସମୀକ୍ଷା ଓ ପ୍ରକାଶନ ସହ ଜଡ଼ିତ ଅଧିକାରୀ ଓ ବିଶେଷଜ୍ଞଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
୪. ଜଣେ ଅବସରପ୍ରାପ୍ତ ନ୍ୟାୟାଧୀଶ କିମ୍ବା ସ୍ୱାଧୀନ ଶିକ୍ଷାବିତ୍ତଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଉ।
୫. ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ସ୍ୱଚ୍ଛ ଓ ବିଜ୍ଞାନସମ୍ମତ ପ୍ରୁଫ୍ରିଡିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ
୬. ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ରକ୍ଷା ପାଇଁ ସ୍ୱଚ୍ଛ ଓ ଉତ୍ତର ଦାୟୀତ୍ଵ ବ୍ୟବସ୍ଥା ପ୍ରଚଳନ କରାଯାଉ।
ରାଜ୍ୟର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏଭଳି ଖେଳ ଖେଳିବାର ଅଧିକାର କୌଣସି ସରକାରଙ୍କର ନାହିଁ। ଶିକ୍ଷା କ୍ଷେତ୍ରରେ ଏହି ଗୁରୁତର ବିଫଳତା ପାଇଁ ସରକାରଙ୍କୁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବା ସହ ଦାୟିତ୍ୱ ଗ୍ରହଣ କରିବାକୁ ହେବ। ଗଣ ଶିକ୍ଷାମନ୍ତ୍ରୀ ଏହି ସମସ୍ତ ବିଶୃଙ୍ଖଳା ଏବଂ କେଳେଙ୍କାରୀ ପାଇଁ ଉତ୍ତର ଦାୟୀତ୍ଵ ବହନ କରିବା ପାଇଁ ସି.ପି.ଆଇ(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଦାବୀ କରିଛି।


