ଭୁବନେଶ୍ଵର : ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ୧୬୭୮ଟି ତ୍ରୁଟି ଘଟଣାକୁ ନେଇ ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ପରେ ଆଜିଠାରୁ ଆରମ୍ଭ ହେଉଛି ତିନି ଜଣିଆ ଉଚ୍ଚସ୍ତରୀୟ ତଦନ୍ତ। ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ୱରେ ଗଠିତ କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
ବନାନ ଭୁଲଠାରୁ ଆରମ୍ଭ କରି ଛବି, ତଥ୍ୟ ଓ ଡିଜାଇନ୍ରେ ହୋଇଥିବା ତ୍ରୁଟି ପଛରେ କିଏ ଦାୟୀ, କେଉଁ ସ୍ତରରେ ଅବହେଳା ହୋଇଛି ଏବଂ କିପରି ଏତେ ବଡ଼ ଭୁଲ ଧରାପଡ଼ିଲା ନାହିଁ—ସେସବୁର ଖୋଳତାଡ଼ କରିବ କମିଟି।
ତଦନ୍ତର କେନ୍ଦ୍ରବିନ୍ଦୁରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT), ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଏବଂ OSEPA। ପାଠ୍ୟପୁସ୍ତକ ପ୍ରସ୍ତୁତି ସହ ଜଡ଼ିତ ସମ୍ପାଦକ, ସମୀକ୍ଷକ, ସଂଯୋଜକ, ଡିଟିପି ଅପରେଟର ଓ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯିବ।
ବିଶେଷ କରି ଏନ୍ସିଇଆର୍ଟି ପୁସ୍ତକର କିଛି ଛବି ଓଡ଼ିଆ ପାଠ୍ୟପୁସ୍ତକରେ କିପରି ସ୍ଥାନ ପାଇଲା ଏବଂ ଚୂଡ଼ାନ୍ତ ଯାଞ୍ଚ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହିଲା, ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଶିକ୍ଷା ବ୍ୟବସ୍ଥାର ଏହି ବଡ଼ ତ୍ରୁଟି ପାଇଁ କିଏ ଦେବ ଜବାବ? ତାହା ଉପରେ ଏବେ ସମସ୍ତଙ୍କ ନଜର।


