ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ଏକ ବୋଲେରୋ, କାର୍ ଓ ଅଟୋରିକ୍ସା ମଧ୍ୟରେ ଧକ୍କା ହେବାରୁ ଶିଶୁ ଓ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବାରୁଅ ନିକଟସ୍ଥ ଇତିପୁର ଗ୍ରାମର ଦୁଇଟି ପରିବାରର ୧୧ ଜଣ ସଦସ୍ୟ ଏକ ଅଟୋରିକ୍ସାରେ ଆଖଣ୍ଡଳମଣି ପୀଠକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ପଛପଟରୁ ଆସି ପ୍ରଥମେ ଏକ କାର୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଭାରସାମ୍ୟ ହରାଇଥିବା ବୋଲେରୋଟି ଅଟୋରିକ୍ସାକୁ ଜୋରଦାର ଧକ୍କା ଦେବାରୁ ଅଟୋଟି ଯାତ୍ରୀଙ୍କ ସହ ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଅଟୋରେ ଥିବା ଦୁଇଜଣ ମହିଳା ଗାଡ଼ି ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସମସ୍ତ ଆହତଙ୍କୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ, ଗୁରୁତର ଆହତ ୩ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ, ଦ୍ରୁତ ଗତି ଏହି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।


