ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ-ୟୁ ୨.୦) ଅଧୀନରେ ଘର ପାଇବାକୁ ଯାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଘୋଷଣା କରିଛନ୍ତି। ଘର ପଞ୍ଜୀକରଣ ସମୟରେ ଦେବାକୁ ପଡ଼ୁଥିବା ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫିକୁ ମିଶାଇ ମୋଟ ଦେୟକୁ ୧ ପ୍ରତିଶତରୁ କମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ହଜାର ହଜାର ନିମ୍ନ ଓ ମଧ୍ୟମ ଆୟ ବର୍ଗର ପରିବାର ଆର୍ଥିକ ଭାବେ ଉପକୃତ ହେବେ।
ସରକାରଙ୍କ ଏହି ରିହାତି ୬୦ ବର୍ଗମିଟର ପର୍ଯ୍ୟନ୍ତ ଘର ପାଇଁ ଲାଗୁ ହେବ। ପିଏମଏୱାଇ-ୟୁ ୨.୦ ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ଉପରେ ପଞ୍ଜୀକରଣ ସମ୍ବନ୍ଧୀୟ ଆର୍ଥିକ ଭାର କମାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁଯାୟୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏନେଇ ରାଜସ୍ୱ ବିଭାଗକୁ ଚିଠି ଲେଖିଛନ୍ତି। ଶୀଘ୍ର ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।


