ରାୟଗଡା: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପିଲାଚୋରି ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ଏହାକୁ ‘ରେଡ୍ ଫ୍ଲାଗ୍’ କେସ୍ ଭାବେ ଚିହ୍ନଟ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛି। ଏହା ସହିତ ତଦନ୍ତରେ କ୍ରାଇମ୍ ବ୍ରାଞ୍ଚ ମଧ୍ୟ ରାୟଗଡା ପୁଲିସକୁ ସହଯୋଗ କରୁଥିବା ସୂଚନା ଦେଇଛନ୍ତି ରାୟଗଡା ଏସ୍ପି ରାଜ ପ୍ରସାଦ ।
ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ତଦନ୍ତ ଆଗକୁ ବଢ଼ିବା ସହ ଅନେକ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଓ ତଦନ୍ତ ଜୋରଦାର କରାଯାଇଛି।
ଏହି ଘଟଣାର ଅନ୍ୟତମ ଚିନ୍ତାଜନକ ଦିଗ ହେଉଛି ଆକ୍ରମଣର ଭିଡିଓ ରେକର୍ଡିଂ ଓ ତାହାର ସୋସିଆଲ ମିଡିଆରେ ଭାଇରାଲ ହେବା। ପୁଲିସ ସ୍ପଷ୍ଟ କରିଛି ଯେ, ଘଟଣାର ଭିଡିଓ ଉତ୍ତୋଳନ କରି ଅନୁମତି ବିନା ପ୍ରସାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ପୁଲିସର ସାଇବର ଟିମ୍ ସକ୍ରିୟ ହୋଇପଡ଼ିଛି।
ଦକ୍ଷିଣ ପୂର୍ବାଞ୍ଚଳ ଡିଆଇଜି ଅଖିଳେଶ୍ଵର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଥିବା ବେଳେ ସମଗ୍ର ମାମଲା ଉପରେ ଉଚ୍ଚସ୍ତରୀୟ ନଜର ରହିଛି। ଘଟଣାକୁ ନେଇ ଏପର୍ଯ୍ୟନ୍ତ ୩ଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ତେବେ ଆକ୍ରମଣର ଶିକାର ହୋଇଥିବା ଦୁଇ ଜଣ ସ୍ୱେଚ୍ଛାସେବୀ ଏପର୍ଯ୍ୟନ୍ତ ଏଫଆଇଆର ଦାଖଲ କରିନଥିବା ସୂଚନା ମିଳିଛି।
ପୁଲିସ କହିଛି, ଆକ୍ରମଣରେ ଆହତ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କର ଚିକିତ୍ସା ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସେମାନେ ଶୀଘ୍ର ସୁସ୍ଥ ହୋଇ ନ୍ୟାୟ ପାଇବେ, ସେନେଇ ପୁଲିସ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି।
ଏହି ମାମଲାର ଆଇନଗତ ଦିଗକୁ ଅଧିକ ମଜବୁତ କରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଆଇନ ସହାୟତା ଟିମ୍ ଗଠନ କରିଛି। ଏହି ଟିମ୍ ଏଫଆଇଆର, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଡିଜିଟାଲ ପ୍ରମାଣକୁ ଆଧାର କରି ମାମଲାର ଆଇନଗତ ବିଶ୍ଳେଷଣ କରୁଛି।
ଘଟଣାରେ ଜଣେ ମହିଳାଙ୍କ ମର୍ଯ୍ୟାଦା ଜଡ଼ିତ ଥିବାରୁ ଏହାକୁ ଅଧିକ ସମ୍ବେଦନଶୀଳ ଭାବେ ଦେଖାଯାଉଛି। ପୁଲିସର କହିବା ଅନୁସାରେ, କାହାରି ବିନା ଅନୁମତିରେ ଭିଡିଓ ଉତ୍ତୋଳନ କରି ତାହାକୁ ଭାଇରାଲ କରିବା କେବଳ ଗୋପନୀୟତାର ଉଲ୍ଲଂଘନ ନୁହେଁ, ବରଂ ଆଇଟି ଆଇନର ମଧ୍ୟ ଉଲ୍ଲଂଘନ। ତେଣୁ କିଏ ଏହି ଭିଡିଓ ପ୍ରସାର କରିଛି ଓ କିପରି ଏହା ବ୍ୟାପିଛି, ସେନେଇ ସାଇବର ଟିମ୍ ଗଭୀର ତଦନ୍ତ ଚଳାଇଛି।
ଏସ୍ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ଯେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ତଦନ୍ତ ଆଗକୁ ବଢ଼ିବା ସହ ଆହୁରି ଅନେକ ଗିରଫଦାରି ହୋଇପାରେ ବୋଲି ପୁଲିସ ସୂଚନା ଦେଇଛି।


