ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ଗଞ୍ଜାମ ଓ ସୁବର୍ଣ୍ଣପୁରରେ ଘଟିଥିବା ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବସ୍ ଧକ୍କାରେ ଭିନ୍ନକ୍ଷମ ବୃଦ୍ଧଙ୍କ ମୃତ୍ୟୁ
ଗଞ୍ଜାମ ଜିଲ୍ଲାର ଆସ୍କା ଅନ୍ତର୍ଗତ ଗୁଣ୍ଠପୋଡ଼ା ଅଞ୍ଚଳରେ ସକାଳୁ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ରାସ୍ତା ପାର ହେଉଥିବା ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବୃଦ୍ଧ ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବସ୍କୁ ଜବତ କରାଯାଇଥିବାବେଳେ ଚାଳକଙ୍କ ସମ୍ପର୍କରେ ଖୋଳତାଡ଼ ଚାଲିଛି।
ଟ୍ରକ୍-ପିକ୍ଅପ୍ ମୁହାଁମୁହିଁ ଧକ୍କା, ଚାଳକ ମୃତ
ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଜାମଛାପର ଛକରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।
ଗୁରୁତର ଆହତ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।


