ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଯେ, ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆଖି ଧରା, କୃମି ଆଦି ରୋଗ ହେବ। ମାଛି ବସା ଖାଦ୍ୟ ଓ ଗୋଳିଆ ପାଣି ପିଇଲେ, ଅତିସାର, ପ୍ରବାହିକା, ଟାଇଫୋଏଡ ରୋଗ ହେବ। ମଶା କାମୁଡ଼ିଲେ ଶ୍ଳୀପଦ, ମ୍ୟାଲେରିଆ, ମଶା ଜନିତ ରୋଗ ହେବ। ଅନ୍ଧାରରେ ବୁଲିଲେ ବିଛା, ସର୍ପ କାମୁଡ଼ିବେ ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ କାରଣ ଠାରୁ ଦୁରେଇ ରୁହନ୍ତୁ, ଗରମ ପାଣି ଓ ଖାଦ୍ୟ ଖାଆନ୍ତୁ। ଅଦା, ତୁଲସୀ, ରସୁଣ ଓ ଗୁଳୁଚି ରସ ସେବନ କରନ୍ତୁ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିର ପରିଚାଳନାରେ ଡି.ଶ୍ରୀନିବାସ ରାଓ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଓ ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।


