ଭୁବନେଶ୍ୱର: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଶା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଅବଦାନ ରଖିଆସୁଥିବା ଚରଣ ହେମ୍ବ୍ରମ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି। ସେହିପରି କଳା କ୍ଷେତ୍ରରେ ନିଜସ୍ୱ ସୃଜନଶୀଳତା ଓ ଅନନ୍ୟ ଅବଦାନ ପାଇଁ ଶରତ ପାତ୍ର ଏବଂ ସୀମାଞ୍ଚଳ ପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି ତିନିଜଣ ଓଡ଼ିଆ ପ୍ରତିଭାଙ୍କୁ ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ପରେ ସମଗ୍ର ରାଜ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ମହଲ ସହ ବିଭିନ୍ନ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଭବନରେ ଆୟୋଜିତ Civil Investiture Ceremony-II ଅବସରରେ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ମୋଟ ୬୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ଓଡ଼ିଶାର ଏହି ତିନି କୃତୀ ସନ୍ତାନଙ୍କ ସଫଳତା କେବଳ ସେମାନଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ରାଜ୍ୟର ସମୃଦ୍ଧ ସାହିତ୍ୟ, ଶିକ୍ଷା ଓ କଳା ପରମ୍ପରାର ଜାତୀୟ ସ୍ତରରେ ସ୍ୱୀକୃତି ବୋଲି ମତ ପ୍ରକାଶ ପାଉଛି। ଏହି ସମ୍ମାନ ଆଗାମୀ ପିଢ଼ିକୁ ମଧ୍ୟ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସାଧନ ପାଇଁ ପ୍ରେରଣା ଯୋଗାଇବ।


