ଯଖପୁରା: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଭିସିଆଇ କେମିକାଲସ୍ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ପୁଣିଥରେ ଶିଳ୍ପ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। କାରଖାନାର କୁଲିଂ ଟାୱାରରେ ଲାଗିଥିବା ନିଆଁରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ହେଲେ ମଧ୍ୟାହ୍ନ ଭୋଜନ ବିରତି ଥିବାରୁ ସେହି ସମୟରେ କୌଣସି ଶ୍ରମିକ ସେଠାରେ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
ଗତକାଲି ଦ୍ୱିପ୍ରହର ପ୍ରାୟ ୧ଟା ୩୦ ମିନିଟ୍ ସମୟରେ କାରଖାନା ପରିସରରୁ ହଠାତ୍ କଳା ଧୂଆଁର ବିରାଟ ବଳୟ ନିର୍ଗତ ହେବାକୁ ଦେଖି କର୍ମଚାରୀ ଓ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ନିଆଁ କୁଲିଂ ଟାୱାରର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା। ଘଟଣାସ୍ଥଳର ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଘଟଣା ସମୟରେ ମଧ୍ୟାହ୍ନ ବିରତି ଚାଲିଥିବାରୁ କୁଲିଂ ଟାୱାର ନିକଟରେ କୌଣସି ଶ୍ରମିକ କିମ୍ବା କର୍ମଚାରୀ କାର୍ଯ୍ୟରତ ନଥିଲେ। ଯଦି ସେହି ସମୟରେ କର୍ମଚାରୀମାନେ କାମ କରୁଥାନ୍ତେ, ତେବେ ଜୀବନହାନିର ଆଶଙ୍କାକୁ ଏଡ଼ାଇ ହେବନଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଏହି ଅଗ୍ନିକାଣ୍ଡ ପରେ କାରଖାନାର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଭିସିଆଇ କେମିକାଲସ୍ କାରଖାନା ପୂର୍ବରୁ ମଧ୍ୟ ବିଭିନ୍ନ ବିବାଦରେ ଛନ୍ଦି ହୋଇଆସିଛି। ବେଆଇନ ମୋରମ୍ ଉତ୍ତୋଳନ ଓ ପରିବହନ ଅଭିଯୋଗରେ କମ୍ପାନୀ ଉପରେ ୩୮ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଲାଗିଥିବା ଘଟଣା ମଧ୍ୟ ରହିଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୮ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥା ଓ ଅନେକ ପ୍ରସେସିଂ ପ୍ଲାଣ୍ଟ କାର୍ଯ୍ୟରତ। ଏହି କାରଖାନାଗୁଡ଼ିକରେ ବିଭିନ୍ନ ପ୍ରକାରର କେମିକାଲ, ଗ୍ୟାସ, କୋଇଲା ଓ ପେଟ୍ରୋଲିୟମ ଭଳି ଦହନଶୀଳ ପଦାର୍ଥ ବ୍ୟବହାର ହେଉଛି। ଫଳରେ କୌଣସି ବଡ଼ ଅଗ୍ନିକାଣ୍ଡ କିମ୍ବା ଗ୍ୟାସ୍ ଲିକ୍ ଘଟିଲେ ହଜାର ହଜାର ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ।
ମାତ୍ର ଦୁଇ ଦିନ ତଳେ ତାମିଲନାଡ଼ୁର ଏକ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ କେନ୍ଦୁଝରର ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଘଟଣା ଏବେ ବି ତାଜା ରହିଛି। ଏହାସହ ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଭୟାବହ ସ୍ମୃତି ଆଜି ବି ଲୋକଙ୍କ ମନରୁ ଲିଭିନାହିଁ। ଏପରି ପରିସ୍ଥିତିରେ କଳିଙ୍ଗନଗର ଭଳି ଶିଳ୍ପ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଅଗ୍ନିକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ କାରଖାନା ଓ ବାଷ୍ପିତ ବିଭାଗ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଶିଳ୍ପାଞ୍ଚଳରେ ଥିବା କାରଖାନାଗୁଡ଼ିକର ସୁରକ୍ଷା ମାନଦଣ୍ଡର ସମୀକ୍ଷା କରାଯାଇ ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ଠୋସ୍ ଯୋଜନା ପ୍ରସ୍ତୁତ କରିବାକୁ ଦାବି ହୋଇଛି।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ କାରଖାନାର ମାନବ ସମ୍ବଳ ବିଭାଗ ଅଧିକାରୀ ଯୋଗେନ୍ଦ୍ର ପାଣ୍ଡେ କହିଛନ୍ତି ଯେ, ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁଁ କୁଲିଂ ଟାୱାରରେ ନିଆଁ ଲାଗିଥିଲା। ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।


