କାରାକାସ: ଭେନେଜୁଏଲାରେ ବୁଧବାର ସନ୍ଧ୍ୟାରେ ଅଳ୍ପ ସମୟ ବ୍ୟବଧାନରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ରାଜଧାନୀ କାରାକାସରେ ଅନେକ ଘର ଓ ବହୁମହଲା କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ହଜାର ହଜାର ଲୋକ ଭୟରେ ଘର ଛାଡ଼ି ରାସ୍ତାକୁ ଧାଇଁ ଆସିଛନ୍ତି । ଏକ ମିନିଟ୍ ମଧ୍ୟରେ ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଛି। ଶହ ଶହ କୋଠା ଭୁଶୁଡ଼ି ପଡ଼ିଛି ଏବଂ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜଧାନୀ କାରାକାସ୍ ଏବଂ ବିଭିନ୍ନ ସହରରୁ ଆସିଥିବା ଭିଡିଓଗୁଡ଼ିକ ଧ୍ୱଂସର ଏକ ଭୟଙ୍କର ଦୃଶ୍ୟ ଦେଖାଉଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁସାରେ, ପ୍ରଥମ ଭୂମିକମ୍ପର ତୀବ୍ରତା 7.1 ଥିବାବେଳେ କିଛି ମିନିଟ୍ ପରେ ଦ୍ୱିତୀୟ ଏବଂ ଅଧିକ ଶକ୍ତିଶାଳୀ 7.5 ତୀବ୍ରତାର ଭୂମିକମ୍ପ ଆସିଥିଲା। ଦୁଇଟି ଭୂମିକମ୍ପର କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳ ନିକଟସ୍ଥ ମୋରୋନ୍ ଅଞ୍ଚଳରେ ଥିଲା।
ଭୂମିକମ୍ପ ପରେ କାରାକାସର ବିଭିନ୍ନ ଅଞ୍ଚଳରେ କୋଠାର କାନ୍ଥ ଭାଙ୍ଗି ପଡ଼ିଛି, ଘରର ସାମଗ୍ରୀ ରାସ୍ତାରେ ଛିଟିକି ପଡ଼ିଛି ଏବଂ ଅନେକ ସ୍ଥାନରେ ଧୂଳିର ବିଶାଳ ମେଘ ଦେଖିବାକୁ ମିଳିଛି। ଭୂମିକମ୍ପ ଅନୁଭୂତ ହେବାମାତ୍ରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଘର ଓ କାର୍ଯ୍ୟାଳୟ ଛାଡ଼ି ବାହାରକୁ ଦୌଡ଼ି ଆସିଥିଲେ।
ଭେନେଜୁଏଲାର ଗୃହମନ୍ତ୍ରୀ ଦିଓସଡାଡୋ କାବେୟୋ କହିଛନ୍ତି ଯେ କାରାକାସର ଆଲ୍ଟାମିରା ଅଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ଅନେକ ଘର ଓ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ ଏବଂ ଜରୁରୀ ସେବା ଟିମ୍ମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍ ଚଳାଇଛନ୍ତି।
ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ଆମେରିକାର ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ପୁଏର୍ଟୋ ରିକୋ ଓ ଭର୍ଜିନ୍ ଦ୍ୱୀପପୁଞ୍ଜ ପାଇଁ ସୁନାମି ସତର୍କତା ଜାରି କରିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
କର୍ତ୍ତୃପକ୍ଷ ଲୋକମାନଙ୍କୁ କ୍ଷତିଗ୍ରସ୍ତ କୋଠା ଭିତରକୁ ନ ଯିବାକୁ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଝଟକା (Aftershocks) ଆସିବାର ଆଶଙ୍କା ଥିବାରୁ ଲୋକମାନେ ଖୋଲା ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, 1812 ମସିହାରେ କାରାକାସ୍ ଏବଂ ମେରିଡାରେ ହୋଇଥିବା ଭୂମିକମ୍ପରେ ପ୍ରାୟ 30,000 ଲୋକଙ୍କ ମୃତ୍ୟୁ ହୋଇଥିଲା।


