ବ୍ରହ୍ମପୁର: ରାଜ୍ୟ ରାଜନୀତି ଓ ଆଇନଜୀବୀ ମହଳରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଥିବା ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଛି। ଘଟଣାର ପ୍ରାୟ ୮ ମାସ ପରେ ପୁଲିସ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ-୩ୟଙ୍କ କୋର୍ଟରେ ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ ଦାଖଲ କରିଛି। ତଦନ୍ତ ଅଧିକାରୀ ତଥା ଟାଉନ ଏସଡିପିଓ ପ୍ରିୟ ରଞ୍ଜନ ଛୋଟରାୟ ଏହି ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି।
ଗତ ବର୍ଷ କୁମାର ପୂର୍ଣ୍ଣିମା ରାତିରେ ବୈକୁଣ୍ଠନଗର ସାହି ଛକ ନିକଟରେ ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ବୈଦ୍ୟନାଥପୁର ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ କ୍ରମରେ ପୁଲିସ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ, ବ୍ୟବସାୟୀ ସୁନୀଲ ହୋତା, ଦୁଇ ଜଣ ସୁପାରି କିଲର ଏବଂ ଅନ୍ୟ ସହଯୋଗୀ ସାମିଲ ଅଛନ୍ତି। ଗିରଫ ପରଠାରୁ ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି।
ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସ ପୂର୍ବରୁ ଜାନୁଆରୀ ୪ ତାରିଖରେ ୧୬୬୭ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା। ସେତେବେଳେ କୋର୍ଟରେ ୧୮ଟି କପି ସହ ପ୍ରାୟ ୩୦ ହଜାର ପୃଷ୍ଠାର ଦସ୍ତାବିଜ ଉପସ୍ଥାପନ କରିବା ପାଇଁ ଦୁଇଟି ଟିଣ ବକ୍ସ ବ୍ୟବହାର କରାଯାଇଥିଲା, ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏବେ ଫାଇନାଲ ଚାର୍ଜସିଟ ଦାଖଲ ହେବା ପରେ ମାମଲାର ବିଚାର ପ୍ରକ୍ରିୟା ଆହୁରି ଗତିଶୀଳ ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ଖାରଜ ହୋଇସାରିଛି।
ଅନ୍ୟପକ୍ଷରେ, ଅଭିଯୁକ୍ତମାନେ ଗିରଫ ସମୟରେ ଆଇନଗତ ପ୍ରକ୍ରିୟା ଠିକ୍ ଭାବେ ପାଳନ କରାଯାଇନଥିବା ଅଭିଯୋଗ ଆଣି କୋର୍ଟରେ ଡିସଚାର୍ଜ ପିଟିସନ ଦାଖଲ କରିଛନ୍ତି। ମାମଲାରୁ ସେମାନଙ୍କୁ ବାଦ ଦେବା ପାଇଁ ଏହି ଆବେଦନ କରାଯାଇଥିବାବେଳେ, ଏହାର ଶୁଣାଣି ଚାଲିଛି। ଗୁରୁବାର ଏହାର ଶୁଣାଣି ହେବାର ଥିଲା, କିନ୍ତୁ ପୁଲିସ ପକ୍ଷରୁ ଫାଇନାଲ ଚାର୍ଜସିଟ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଫାଇନାଲ ଚାର୍ଜସିଟ ଦାଖଲ ସହ ପୀତବାସ ପଣ୍ଡା ହତ୍ୟା ମାମଲା ଏବେ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ରାଜନୈତିକ ଭାବେ ସମ୍ବେଦନଶୀଳ ଏହି ମାମଲାରେ କୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।


