ଭୁବନେଶ୍ୱର: ରାଜଧାନୀରେ ପୁଣି ସାମ୍ନାକୁ ଆସିଛି ଜଣେ ନକଲି ଅଧିକାରୀଙ୍କ କାରନାମା। ନିଜକୁ ଆଇଏଏସ୍ ଅଧିକାରୀ ଏବଂ ଭୁବନେଶ୍ୱରର ସବ୍ କଲେକ୍ଟର ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କଠାରୁ ଠକେଇ କରୁଥିବା ଜଣେ ଅଭିଯୁକ୍ତକୁ ସହିଦନଗର ଥାନା ପୋଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳର ବରଦା ସୁଧୀର। ଅଭିଯୋଗ ଅନୁସାରେ, ସେ ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର ବୋଲି ପରିଚୟ ଦେଇ ସରକାରୀ କାମ କରାଇଦେବାର ପ୍ରତିଶ୍ରୁତି ଦେଉଥିଲା ଏବଂ ଏହି ବାହାନାରେ ବିଭିନ୍ନ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା।
ଏହି ନକଲି ପରିଚୟ ଦେଇ ଠକେଇ କରୁଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଜାଲ ବିଛାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।
ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ସେ କେତେ ଜଣଙ୍କୁ ଠକିଛି, କେତେ ଟଙ୍କା ଆଦାୟ କରିଛି ଏବଂ ଏହି ଠକେଇରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି।


