ନୂଆଦିଲ୍ଲୀ : ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ପ୍ରଭାରୀ । ଓଡ଼ିଶା କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (AICC)। ରାଜ୍ୟ କଂଗ୍ରେସର ପ୍ରଭାରୀ ଭାବେ ଅଜୟ କୁମାର ଲଲ୍ଲଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ନିଯୁକ୍ତ କରାଯାଇଛି।
ଏନେଇ ଏଆଇସିସି ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ଦଳର ଜାତୀୟ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି କରାଯାଇଥିବା ସୂଚନା ଦିଆଯାଇଛି।
ଲାଲଜୀ ଦେଶାଇଙ୍କୁ ଓଡ଼ିଶା କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯିବା ପରେ ରାଜ୍ୟରେ ଦଳକୁ ସୁଦୃଢ଼ କରିବା, ସଂଗଠନକୁ ସକ୍ରିୟ କରିବା ଏବଂ ଆଗାମୀ ରାଜନୈତିକ ରଣନୀତି ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।
ଅଜୟ କୁମାର ଲଲ୍ଲଙ୍କ କାର୍ଯ୍ୟକାଳ ପରେ ହୋଇଥିବା ଏହି ପରିବର୍ତ୍ତନକୁ ରାଜ୍ୟ କଂଗ୍ରେସରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦକ୍ଷେପ ଭାବେ ଦେଖାଯାଉଛି।


