ନୂଆଦିଲ୍ଲୀ: ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ବଡ଼ ସାଂଗଠନିକ ପରିବର୍ତ୍ତନ ହୋଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଜାରି ନୂତନ ତାଲିକା ଅନୁସାରେ ରାଜେନ୍ଦ୍ର ପାଲ ଗୌତମଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC)ର ନୂତନ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି। ସେ ଅଭିନାଶ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି।
ଦଳିତ ସମ୍ପ୍ରଦାୟରୁ ଆସିଥିବା ରାଜେନ୍ଦ୍ର ପାଲ ଗୌତମ ପୂର୍ବରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମାତ୍ର ଦୁଇ ବର୍ଷ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ସେ, ଗତ ଏକ ବର୍ଷ ଧରି କଂଗ୍ରେସର ଅନୁସୂଚିତ ଜାତି ବିଭାଗର ଦାୟିତ୍ୱରେ ଥିଲେ। ଏବେ ତାଙ୍କୁ ଉତ୍ତର ପ୍ରଦେଶ ଭଳି ରାଜନୈତିକ ଭାବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ଦିଆଯାଇଛି।
କଂଗ୍ରେସ ପକ୍ଷରୁ ଏହି ନିଷ୍ପତ୍ତିକୁ ଦଳର ସଂଗଠନକୁ ମଜବୁତ କରିବା ଏବଂ ଦଳିତ ଭୋଟ ବ୍ୟାଙ୍କ ସହିତ ସମନ୍ୱୟ ବଢ଼ାଇବା ଚେଷ୍ଟା ଭାବେ ଦେଖାଯାଉଛି। ସୂତ୍ର ଅନୁସାରେ, କଂଗ୍ରେସ ନେତୃତ୍ୱ ମନେ କରୁଛି ଯେ ଗୌତମଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ଦଳର ଭିତ୍ତି ସୁଦୃଢ଼ ହେବ।
ଏହି କ୍ରମରେ କଂଗ୍ରେସ ହରିୟାଣା ଏବଂ ଓଡ଼ିଶାରେ ମଧ୍ୟ ନୂତନ ପ୍ରଭାରୀ ନିଯୁକ୍ତ କରିଛି। ସଞ୍ଜୟ ଦତ୍ତଙ୍କୁ ହରିୟାଣା ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିବାବେଳେ ଓଡିଶାରେ ଲାଲାଜୀ ଦେଶାଇ, ଶ୍ରୀନିବାସ ବିଭିଙ୍କୁ କଂଗ୍ରେସ ସେବା ଦଳର ମୁଖ୍ୟ କରାଯାଇଛି । ପୂର୍ବରୁ ହରିୟାଣା ପ୍ରଭାରୀ ଥିବା ବି.କେ. ହରିପ୍ରସାଦଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି।
ଉତ୍ତର ପ୍ରଦେଶରେ କଂଗ୍ରେସ ଏବେ ସମାଜବାଦୀ ପାର୍ଟି ସହିତ ମେଣ୍ଟରେ ଥିବା ପରିପ୍ରେକ୍ଷିତରେ ଏହି ନୂତନ ନିଯୁକ୍ତିକୁ ଆଗାମୀ ନିର୍ବାଚନୀ ରଣନୀତିର ଅଂଶ ଭାବେ ଦେଖାଯାଉଛି। ଦଳ ଉଚ୍ଚ ଜାତି–ଦଳିତ–ପଛୁଆ ଭୋଟ ସମୀକରଣକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି।
ଏହି ପରିବର୍ତ୍ତନ ପରେ କଂଗ୍ରେସର ନୂତନ ରାଜନୈତିକ ଦିଗ ଏବଂ ମେଣ୍ଟ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।


