ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଆଣ୍ଟି ନକ୍ସଲ ଅପରେସନ ସମୟରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏହି ସମସ୍ତ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି (AOBSZC)ର ବୋଲି ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି।
ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସ୍ଏଲ୍ଆର୍ (SLR) ରାଇଫଲ୍, ୨ଟି ଦେଶୀ ପିସ୍ତଲ, ଗୋଟିଏ ଆମେରିକା ନିର୍ମିତ ପିସ୍ତଲ, ଗୋଟିଏ .303 ରାଇଫଲ୍, ୨ଟି ଆଇଇଡି (IED), ଗୋଟିଏ କ୍ଲେମୋର ମାଇନ୍, ୪ଟି ବିଜିଏଲ୍ (BGL) ସେଲ୍ ସମେତ ମୋଟ ୩୭ ପ୍ରକାରର ମାଓବାଦୀ ସାମଗ୍ରୀ ରହିଛି।
ଉଲ୍ଲେଖଯୋଗ୍ୟ, ଗତ ୯ ଜୁନରେ ମଧ୍ୟ କିରିମିଟି ଓ କଟୁଆପଦର ଜଙ୍ଗଲରେ ଚାଲିଥିବା ଅପରେସନରେ ମାଲକାନଗିରି ପୁଲିସ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଲଗାତାର ସଫଳ ଅପରେସନ ପରେ ସୁରକ୍ଷା ବାହିନୀ ମାଓ ସଂଗଠନର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି।


