କଟକ: ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବାକୁ ମହାନଦୀରେ ଗାଧୋଉଥିବା ବେଳେ ଘଟିଛି ଅଭାବନୀୟ ଅଘଟଣ। ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟରେ ରବିବାର ସନ୍ଧ୍ୟାରେ ପାଣିରେ ଭାସିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ମୃତକ ହେଲେ କୋଡ଼ିଏ ବର୍ଷୀୟ ମୁକ୍ତି ପ୍ରସାଦ ଦାସ । ନିଖୋଜ ଥିବା ଦୁଇ ଯୁବକ ହେଲେ ପ୍ରତ୍ୟୁଷ ସ୍ୱାଇଁ ଓ ଅଜିତ ସାହୁ
ସୂଚନା ଅନୁସାରେ, ଚାରି ଜଣ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅମ୍ଲାନ ପ୍ରସାଦ ନାୟକ ହଠାତ୍ ଗଭୀର ପାଣିରେ ଫସିଯିବାରୁ ଅନ୍ୟ ତିନି ଜଣ ତାଙ୍କୁ ବଞ୍ଚାଇବାକୁ ପାଣିକୁ ଯାଇଥିଲେ। ଅମ୍ଲାନ ସୁରକ୍ଷିତ ଭାବେ କୂଳକୁ ଫେରି ଆସିଥିଲେ, କିନ୍ତୁ ମୁକ୍ତି, ପ୍ରତ୍ୟୁଷ ଓ ଅଜିତ ପ୍ରବଳ ସ୍ରୋତରେ ଭାସିଯାଇଥିଲେ।
ଖବର ପାଇ ଜଗତପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ମୁକ୍ତି ପ୍ରସାଦଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


