ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନାକୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଏକ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ର କରି ବାଣପୁର ପୋଲିସ ତୋଫାନ ନାମକ ଜଣେ ଯୁବକକୁ ଥାନାକୁ ଆଣିଥିଲା । ମାତ୍ର ସେଠାରେ ତାଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିବାରୁ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ପରିବାର ଲୋକ ଓ ସମର୍ଥକମାନେ ତୀବ୍ର ପ୍ରତିବାଦ କରିଥିଲେ। ପୁଲିସ ମାଡ଼ରେ ତୋଫାନଙ୍କ ମୃତ୍ୟୁ ହୋଇଥିବାର ଗୁରୁତର ଅଭିଯୋଗ ଉଠାଇ ସେମାନେ ନିରପେକ୍ଷ ତଦନ୍ତ ସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସମଗ୍ର ଘଟଣାର ସତ୍ୟାସତ୍ୟ ଉପରେ ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି।


