ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲାଞ୍ଜିଆରେ ରାମାୟଣ ଯାତ୍ରା ଚାଲିଥିବା ସମୟରେ ଘଟିଛି ଏକ ବଡ଼ ଅଘଟଣ। ହଠାତ୍ ଷ୍ଟେଜ୍ରେ ନିଆଁ ଲାଗିବାରୁ ସମଗ୍ର ମଞ୍ଚ ହୁତୁହୁତୁ ହୋଇ ଜଳିଉଠିଥିଲା। ତେବେ ସୌଭାଗ୍ୟବଶତଃ କୌଣସି ଜୀବନହାନି ଘଟିନଥିବାବେଳେ ଦର୍ଶକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ରାମାୟଣ ଦଳ ପକ୍ଷରୁ ବାଣ ଫୁଟାଯାଉଥିବା ବେଳେ ଅସାବଧାନତାବଶତଃ ନିଆଁର ସ୍ଫୁଲିଙ୍ଗ ବାଣ ଗଦା ଉପରେ ପଡ଼ିଯାଇଥିଲା। ଏହାପରେ ସେଠାରେ ନିଆଁ ବ୍ୟାପି ଦ୍ରୁତ ଗତିରେ ସମଗ୍ର ଷ୍ଟେଜ୍କୁ କବଳିତ କରିଥିଲା।
ନିଆଁ ଦେଖି ଦର୍ଶକମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ପରିସ୍ଥିତି ଦେଖି ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ। ଯାତ୍ରା କମିଟି ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ।
ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଷ୍ଟେଜ୍ର ବ୍ୟାପକ କ୍ଷତି ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


