
ଏକ ହାଇଡ୍ରାମା ମଧ୍ୟରେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ସିବିଆଇ ଅଧିକାରୀ ଦିଲ୍ଲୀ ପୋଲିସ ସହାୟତାରେ ଏହି ଗିରଫ କରିଛି। ଚିଦାମ୍ବରମଙ୍କ ଗେଟ୍ ବନ୍ଦ ଥିବାରୁ ସିବିଆଇ ଅଧିକାରୀମାନେ ତାଙ୍କ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହାର ଠିକ୍ କିଛି ସମୟ ପୂର୍ବରୁ ଚିଦାମ୍ବରମ୍ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପୂର୍ରୁ ସେଠାରେ ସିବିଆଇ ଅଧିକାରୀ ପହଁଚି ଯାଇଥିଲେ। ଚିଦାମ୍ବରମ କଂଗ୍ରେସ ଭବନରୁ ଗାଡିରେ ନିଜ ଘରକୁ ଆସିବା ବେଳେ ସିବିଆଇ ତାଙ୍କୁ ଅନୁସରଣ କରିଥିଲା। ହେଲେ ସେ ଘର ଭିତରକୁ ପଶିବା ପରେ ତାଙ୍କର ସୁରକ୍ଷା କର୍ମି ଗେଟ ବନ୍ଦ କରିଦେଇଥିଲେ। ଗେଟ ନ ଖୋଲିବାରୁ ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହା ମଧ୍ୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ କଂଗ୍ରେସ କର୍ମି ଭିଡ କରିଦେଇଥିଲେ। ଫଳରେ ଚିଦାମ୍ବରମଙ୍କୁ ପୋଲିସ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏହାପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସିବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଥିଲା। ବର୍ତ୍ତମାନ ସିବିଆଇ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଜେରା କରିବ ବୋଲି ଜଣାପଡିଛି।