ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରାପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଏକ ବେଆଇନ୍ ଦେଶୀ ବନ୍ଧୁକ ତିଆରି କାରଖାନା ଓ ଅବୈଧ କାଠ ଗୋଦାମ ଠାବ ହୋଇଛି। ଏହି ଘଟଣାରେ ଦୁଇ ଭାଇ ଅଭୟ ନାଏକ ଓ ମଳୟ ନାଏକଙ୍କୁ ଗିରଫ କରାଯାଇଛି।
ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ୨ଟି ବ୍ୟାରେଲ, ୨ଟି ଗଜବାଡ଼ି, ଅଧା ତିଆରି ବନ୍ଧୁକ ଫ୍ରେମ, ୨୦ ଗ୍ରାମ ବାରୁଦ, ୨୩ଟି ସୀସା ଗୁଳି ସହ ବନ୍ଧୁକ ତିଆରିର ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦୁଇ ଭାଇ ବେଆଇନ୍ ଭାବେ କାଠ ଚିରାଇ ଫର୍ଣ୍ଣିଚର ତିଆରି କରୁଥିଲେ। ସେମାନଙ୍କ ଗୋଦାମରୁ ୧୪ ଖଣ୍ଡ ଶାଗୁଆନ କାଠ, ୧୨ ଖଣ୍ଡ ଶାଳ କାଠ ସହ ଗଛ କଟା ମେସିନ୍, ୨ଟି ଇଲେକ୍ଟ୍ରିକ କରତ, ୨ଟି ଜିଗ୍ଜ୍ୟାଗ୍ କଟିଂ ମେସିନ୍ ଓ ଗୋଟିଏ କାଠ ପଲିସ୍ ମେସିନ୍ ଜବତ କରାଯାଇଛି।
ଘଟଣାକୁ ନେଇ ଜରାପଡ଼ା ଫରେଷ୍ଟ ରେଞ୍ଜରେ ବନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବେଆଇନ୍ ଅସ୍ତ୍ର ଓ କାଠ କାରବାରର ନେଟୱର୍କକୁ ନେଇ ବନ ବିଭାଗ ଓ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


