ଭୁବନେଶ୍ୱର: ‘ଡିଜିଟାଲ ଆରେଷ୍ଟ’ ନାମରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରିଛି। ପୋଲିସ ସ୍ପଷ୍ଟ କରିଛି ଯେ, ଭାରତରେ ‘ଡିଜିଟାଲ ଆରେଷ୍ଟ’ ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଏଭଳି କହି ଲୋକଙ୍କୁ ଭୟଭୀତ କରି ଟଙ୍କା ଠକିବା ସାଇବର ଅପରାଧୀଙ୍କ ଏକ ନୂଆ କୌଶଳ ବୋଲି କୁହାଯାଇଛି।
କମିଶନରେଟ ପୋଲିସ କହିଛି, ପୋଲିସ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା କେବେ ବି ଭିଡିଓ କଲ୍, ଫୋନ୍ କଲ୍ କିମ୍ବା ମେସେଜ୍ ମାଧ୍ୟମରେ କାହାକୁ ଗିରଫ କରନ୍ତି ନାହିଁ। ସେହିପରି କୌଣସି ତଦନ୍ତ ସଂସ୍ଥା ହ୍ୱାଟସ୍ଆପ୍, ଟେଲିଗ୍ରାମ୍ କିମ୍ବା ଅନ୍ୟ କୌଣସି ଆପ୍ରେ ଯୋଗଦେବାକୁ ନିର୍ଦ୍ଦେଶ ଦିଏ ନାହିଁ।
କ’ଣ କରିବେ, କ’ଣ କରିବେ ନାହିଁ?
ପୋଲିସ ପକ୍ଷରୁ ଲୋକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି—
- ସନ୍ଦେହଜନକ ଫୋନ୍ କଲ୍ ଆସିଲେ ତୁରନ୍ତ କଲ୍ କାଟି ଦିଅନ୍ତୁ।
- ଅଜଣା ବ୍ୟକ୍ତିଙ୍କ କଥାରେ କୌଣସି ଟଙ୍କା ପଠାନ୍ତୁ ନାହିଁ।
- ଭୟଭୀତ ହୋଇ FD କିମ୍ବା PPF ଭାଙ୍ଗନ୍ତୁ ନାହିଁ।
- OTP, PIN, ପାସୱାର୍ଡ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ କିମ୍ବା ଅନ୍ୟ କୌଣସି ଗୋପନୀୟ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ।
- ସାଇବର ଠକେଇର ଶିକାର ହେଲେ କେଉଁଠି କରିବେ ଅଭିଯୋଗ?
ଯଦି ଆପଣ ଏଭଳି ଠକେଇର ଶିକାର ହୁଅନ୍ତି କିମ୍ବା ସନ୍ଦେହଜନକ କଲ୍ ପାଆନ୍ତି, ତେବେ ବିଳମ୍ବ ନକରି ୧୯୩୦ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ରେ କଲ୍ କରନ୍ତୁ। ଏହାଛଡ଼ା www.cybercrime.gov.in ୱେବସାଇଟ୍ରେ ମଧ୍ୟ ଅନଲାଇନ୍ ଅଭିଯୋଗ କରିପାରିବେ।
ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର ଓ କଟକ ସାଇବର କ୍ରାଇମ୍ ଏବଂ ଆର୍ଥିକ ଅପରାଧ ଥାନା ସହ ମଧ୍ୟ ଯୋଗାଯୋଗ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।
ଭୁବନେଶ୍ୱର CC & EO ଥାନା: 7444006709
କଟକ CC & EO ଥାନା: 8280405695


