ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅନ୍ତର୍ଗତ ରାଜସୁନାଖଳା କୁମ୍ଭାରୀ ଛକରେ ଥିବା ଚିତ୍ତରଞ୍ଜନ ପ୍ରଧାନଙ୍କ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି।
ଶୁକ୍ରବାର ନୟାଗଡ଼ ଓ ଖୋର୍ଦ୍ଧା ଅବକାରୀ ବିଭାଗର ମିଳିତ ଟିମ୍ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଦୋକାନ ମାଲିକ ବିରୋଧ କରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଓ ରାଜସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଅବକାରୀ ବିଭାଗ ବିଦେଶୀ ମଦ ସହ ଏକ ଗାଡ଼ିକୁ ଜବତ କରିଛି। ଗାଡ଼ି ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବ।
ଅନ୍ୟପକ୍ଷରେ, ଦୋକାନ ମାଲିକ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି ଯେ, ଜବତ ହୋଇଥିବା ମଦ ଚୋରାଚାଲାଣ ପାଇଁ ନୁହେଁ ବୋଲି କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ତାଙ୍କ ପରିବାରର ଲାଇସେନ୍ସପ୍ରାପ୍ତ ମଦ କାଉଣ୍ଟର ପାଇଁ ଆଇନସମ୍ମତ ଭାବେ ଡିପୋରୁ ପ୍ରାୟ ୬ ଲକ୍ଷ ଟଙ୍କାର ମଦ ଆଣାଯାଇଥିଲା। କିନ୍ତୁ କାଉଣ୍ଟର ସ୍ଥାନାନ୍ତର ସମସ୍ୟା ଓ ଗାଡ଼ି ଖରାପ ହୋଇଯିବାରୁ ସାମୟିକ ଭାବେ ତାଙ୍କ ଦୋକାନରେ ମଦ ରଖାଯାଇଥିଲା। ତେବେ ଅବକାରୀ ବିଭାଗର କହିବା ଅନୁଯାୟୀ, ଗୋଟିଏ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ମଦକୁ ଅନ୍ୟ ଜିଲ୍ଲାକୁ ଆଣିବା ଆଇନ ବିରୋଧୀ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।


