ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗ ନିକଟ ଗେଗୁରପଦର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଏକ ବାଇକରେ ଯାଉଥିବା ତିନି ଜଣଙ୍କର ପ୍ରାଣହାନି ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ବାଇକଟି ଗେଗୁରପଦର ନିକଟରେ ପହଞ୍ଚିଥିବା ବେଳେ ଏକ ଅଜଣା ଗାଡ଼ି ଏହାକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାରେ ପ୍ରାଣ ହରାଇଥିବା ତିନି ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଫେରାର ଅଜଣା ଗାଡ଼ି ଓ ତାହାର ଚାଳକଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।


