ପୁରୀ: ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (DPO)ରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ପ୍ରାୟ ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ରଥଯାତ୍ରା ଡ୍ୟୁଟିରେ ମୁତୟନ ହେବେ ବୋଲି ସୂଚନା ରହିଛି ।
୧୨,୦୦୦ ପୁଲିସ ଓ ଟ୍ରାଫିକ କନଷ୍ଟେବଳ, ୧୦ କମ୍ପାନୀ (ପ୍ରାୟ ୧,୩୦୦) ସିଏପିଏଫ୍, ସିଆର୍ପିଏଫ୍ ଓ ବିଏସ୍ଏଫ୍ ଯବାନ, ୨୫୦ ପ୍ଲାଟୁନ୍ (ପ୍ରାୟ ୭,୫୦୦) ଓଏସ୍ଏପି, ଆଇଆର୍ବିଏନ୍ ଓ ଏପିଆର୍ କର୍ମଚାରୀ
୩,୦୦୦ ହୋମଗାର୍ଡ, ଯେଉଁମାନେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ପରିଚାଳନାରେ ସହଯୋଗ କରିବେ।
ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ରଥଯାତ୍ରା ସମୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି। ଶ୍ରଦ୍ଧାଳୁମାନେ ନିରାପଦରେ ପୁରୀ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସାରି ସୁରକ୍ଷିତ ଭାବେ ଫେରିପାରିବେ, ସେଥିପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
ସେ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ଯେ, ପୁରୀ ଯାତ୍ରା ପୂର୍ବରୁ ଓଡ଼ିଶା ପୁଲିସର ଅଫିସିଆଲ୍ ପୋର୍ଟାଲ୍ ଓ ସମୟ ସମୟରେ ଜାରି ହେଉଥିବା ଟ୍ରାଫିକ ଆଡଭାଇଜରୀ ଅନୁସରଣ କରନ୍ତୁ। ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଏଡ଼ାଇବା ସହ ଯାତ୍ରାକୁ ସୁଗମ କରାଯାଇପାରିବ।
ଏହି ବୈଠକରେ ରାଜ୍ୟର ବହୁ ବରିଷ୍ଠ ପୁଲିସ ଅଧିକାରୀ, ଗୁଇନ୍ଦା ବିଭାଗ ଓ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


