ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ୯ ଜୁଲାଇରେ ହୀରାକୁଦ ଡ୍ୟାମର ଗେଟ ଖୋଲାଯିବ। ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସକାଳ ୧୧ଟାରେ ପ୍ରଥମ ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରାଯିବ।
ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ହେବା ଫଳରେ ଡ୍ୟାମକୁ ଜଳ ପ୍ରବାହ ବଢ଼ିଛି। ଜଳସ୍ତର ନିର୍ଦ୍ଧାରିତ ସୀମା ଅଭିମୁଖେ ବଢ଼ୁଥିବାରୁ ଜଳଭଣ୍ଡାରର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ପାଳନ କରିବାକୁ କୁହାଯାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ନଦୀର ଜଳସ୍ତର ଉପରେ କ୍ରମାଗତ ନଜର ରଖାଯାଉଥିବା ବେଳେ, ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ଗେଟ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।


