ଭୁବନେଶ୍ଵର : ଦୀର୍ଘ ୫ ବର୍ଷ ଧରି ଫେରାର ଥିବା ପଳାତକ ହାର୍ଡକୋର ନକ୍ସଲ ଦିନେଶ ମାହାତୋଙ୍କୁ ଶେଷରେ ଝାଡଖଣ୍ଡ ପୁଲିସ ଗିରଫ କରିଛି। ଚେତରାଚଟଟି ଥାନା ଅଞ୍ଚଳର ହୁରୁଲୁଙ୍ଗ ଗାଁରୁ ତାଙ୍କୁ ଧରାଯାଇଥିବା ସୂଚନା ମିଳିଛି।
ଦିନେଶ ମାହାତୋ ଦୀର୍ଘଦିନ ଧରି ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ। ତାଙ୍କ ବିରୋଧରେ ଝାଡଖଣ୍ଡର ବିଭିନ୍ନ ଥାନାରେ ୧୦ରୁ ଅଧିକ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି।
ଗୁପ୍ତ ସୂଚନା ଆଧାରରେ ପୁଲିସ ସ୍ୱତନ୍ତ୍ର ଅଭିଯାନ ଚଳାଇ ହୁରୁଲୁଙ୍ଗ ଗାଁରୁ ଦିନେଶଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ନକ୍ସଲ ସଂଗଠନର କାର୍ଯ୍ୟକଳାପ ଏବଂ ସହଯୋଗୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ସୁରକ୍ଷା ଏଜେନ୍ସି ଆଶା କରୁଛି।
ଦିନେଶ ମାହାତୋଙ୍କ ଗିରଫକୁ ଝାଡଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


