ଭୁବନେଶ୍ଵର: ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଓ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ପୋଲିସ ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି।
ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ ଜାତୀୟ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦କୁ CCTNS ସହ ସମନ୍ୱୟ କରିଛି। ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହୋଇ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍କୁ ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ ।


