ସମ୍ବଲପୁର :ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜୁଲାଇ ୯ ତାରିଖ ପୂର୍ବାହ୍ନ ୧୧ଟାରେ ନିଷ୍କାସନ କରାଯିବ। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ର ସମନ୍ୱୟ ବୈଠକ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବନ୍ୟା ପରିଚାଳନା ଏବଂ ତଳମୁଣ୍ଡ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଉଛି।
ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୨.୯୭ ଫୁଟ୍ ରେକର୍ଡ କରାଯାଇଥିଲା। ସେହି ସମୟରେ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୪୨ ହଜାର ୯୬୬ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୨୬ ହଜାର ୩୦୩ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଥିଲା।
ଅନ୍ୟପଟେ, ମହାନଦୀର ବିଭିନ୍ନ ସ୍ଥାନରେ ଜଳପ୍ରବାହ ମଧ୍ୟ ବୃଦ୍ଧି ପାଇଛି। ବେଲଗାଁରେ ପ୍ରତି ସେକେଣ୍ଡରେ ୧୮ ହଜାର କ୍ୟୁସେକ୍, ପଥର୍ଲାରେ ୪୯ ହଜାର ୭୯୯ କ୍ୟୁସେକ୍, ଖଇରମାଲରେ ୧ ଲକ୍ଷ ୬ ହଜାର କ୍ୟୁସେକ୍, ବରମୂଳରେ ୧ ଲକ୍ଷ ୫୫ ହଜାର କ୍ୟୁସେକ୍ ଏବଂ ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୨.୨୪ ମିଲିମିଟର ଏବଂ ତଳମୁଣ୍ଡରେ ୦.୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜଳପ୍ରବାହର ସ୍ଥିତିକୁ ଲଗାତାର ନଜରରେ ରଖାଯାଉଥିବା ବେଳେ ତଳମୁଣ୍ଡ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।


