ରେଙ୍ଗାଲି : ପ୍ରାୟ ତିନି ଦଶନ୍ଧି ଧରି ପୁଲିସକୁ ଚକମା ଦେଇ ଫେରାର ଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ଶେଷରେ ଆଇନର ଜାଲରେ ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୃନ୍ଦୁପାଲି ଗାଁର ନୀଳମଣି ମହାନନ୍ଦଙ୍କୁ ୨୮ ବର୍ଷ ପରେ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ୧୯୯୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯ୍ୟୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁସାରେ, ନୀଳମଣି ମହାନନ୍ଦ ଓ ତାଙ୍କର ଦୁଇ ସହଯୋଗୀ ହତ୍ୟା ପରେ ମୃତଦେହକୁ ଏକ ଅଖାରେ ଭରି କେଲୋ ନଦୀରେ ଫିଙ୍ଗି ଦେଇଥିଲେ।
ଘଟଣା ପରେ ପୁଲିସ ନୀଳମଣିଙ୍କୁ ଗିରଫ କରିଥିଲେ। ତେବେ ସେ ଥାନାରୁ ଚକମା ଦେଇ ଫେରାର ହୋଇଯାଇଥିଲେ। ଏହାପରେ ସେ ବର୍ଷ ବର୍ଷ ଧରି ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ। ଶେଷରେ ଛତିଶଗଡ଼ର ରାୟଗଡ଼ରେ ‘ରାଜୁ ଗଣ୍ଡା’ ନାମରେ ନକଲି ଆଧାର କାର୍ଡ ଓ ପ୍ୟାନ୍ କାର୍ଡ ପ୍ରସ୍ତୁତ କରି ସେଠାରେ ବସବାସ କରୁଥିବା ଜଣାପଡ଼ିଥିଲା।
ଗୁପ୍ତ ସୂଚନା ଆଧାରରେ ରେଙ୍ଗାଲି ପୁଲିସ ଚଢ଼ାଉ କରି ନୀଳମଣିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଜାମିନରେ ମୁକ୍ତି ପାଇବା ପରେ ସେମାନଙ୍କର ମୃତ୍ୟୁ ହୋଇସାରିଛି। ଗିରଫ ପରେ ନୀଳମଣି ମହାନନ୍ଦଙ୍କୁ କୋର୍ଟଚାଲାଣ କରାଯାଇଛି।


