ରାଜ୍ୟରେ ଏବେ କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ ସରିଛି । ଯେଉଁଥିରେ ୨ ଲକ୍ଷ ୬୬ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି । ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ହୋଇଥିଲା । ସେଥିପାଇଁ ଯାଞ୍ଚ ଅବଧିକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ଫେରସ୍ତ ହେବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ।
କାଳିଆ ବୈଠକ ଶେଷ : ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଟଙ୍କା ଫେରସ୍ତ ବ୍ୟବସ୍ଥା ହେବ
Published:
Aug 22, 2019, 3:39 pm IST
Tags: