ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ସରକାର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସମସ୍ୟା ଏବଂ ଦାବିକୁ ସମାଧାନ କରିବା ପାଇଁ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରିଛନ୍ତି। ପୂର୍ବରୁ ଅନେକବାର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ରାଜ୍ୟର ଜନପ୍ରିୟ ସରକାର ଉଚ୍ଚସ୍ତରୀୟ କମିଟିର ସମୟ ଅବଧି ବୃଦ୍ଧି ନାଁରେ ଆଉ କାଳବିଳମ୍ବ ନକରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ସୂଚନାଥାଉକି, ଶିକ୍ଷକ କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ ନିମନ୍ତେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ୬ ମାସ ମଧ୍ୟରେ ସମସ୍ୟାକୁ ସମାଧାନ କରିବେ ବୋଲି ବିଧାନସଭାରେ ଘାଷଣା କରିବା ସହ କମିଟି ଗଠନ କରିଥିଲେ। କମିଟି ୬ ମାସ ମଧ୍ୟରେ ତାର ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ସରକାର ତାହାକୁ କାର୍ଯ୍ୟକାରୀ ନକରି ଉକ୍ତ କମିଟିର ସମୟ ଅବଧି ଆଉ ଛଅ ମାସ ବୃଦ୍ଧି ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ, ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀ ସଂଘର ଦାବି ଅନୁଶୀଳନ ପାଇଁ ଏହି କମିଟିର କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି। ଏଥିନେଇ ସମନ୍ୱୟ ସମିତି ପକ୍ଷରୁ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ପୂର୍ବ ସରକାରରେ ବିରୋଧୀ ଦଳର ନେତା ଥିଲେ ସେତେବେଳେ ଆନ୍ଦୋଳନ ସ୍ଥଳରେ ଆସି ପ୍ରତିଶ୍ରୁତି ରଖିଥିଲେ ଯେ, \”ଆମ ସରକାର ଆସିଲେ ଆମେ ସବୁ ବର୍ଗର ଶିକ୍ଷକ ମାନଙ୍କର ସମସ୍ୟା ମାସେ ଦୁଇମାସ ମଧ୍ୟରେ ସମାଧାନ କରିବୁ। ‘କିନ୍ତୁ ଦୁଃଖ ଓ ପରିତାପର ବିଷୟ ସରକାର କମିଟି ପରେ କମିଟି ଗଠନ କରି ସମସ୍ୟା ସମାଧାନ ନାମରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ସରକାର ଶିକ୍ଷକମାନଙ୍କର ବଞ୍ଚିବାର ଅଧିକାରକୁ ଛଡ଼ାଇ ନେବାକୁ ବସିଲେଣି ଅର୍ଥାତ୍ ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନ କରିବା ଦ୍ୱାରା ଆଉ କିଛି ବର୍ଷ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବରୁ ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଭାଙ୍ଗିଯିବ।
ସରକାର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିର ବ୍ୟବସ୍ଥା କରିଛନ୍ତି। ୨୦୨୩ ମସିହା ସଂକଳ୍ପ ଅନୁଯାୟୀ ଏସ୍.ଏସ୍.ବି. ମାଧ୍ୟମରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨୦୨୪ ମସିହାରେ ୧୮୦୦ ଶିକ୍ଷକ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସରକାର କଳା, ବିଜ୍ଞାନ, ଖେଳ ଆଦି ବିଭିନ୍ନ ବିଷୟରେ ୧୬୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିବାକୁ ଯାଉଥିବା କଥା ଶୁଣିବାକୁ ମିଳୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଭାଙ୍ଗିବାକୁ ଯାଉଥିବା ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ସରକାର ନୂତନ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାର ପ୍ରକ୍ରିୟା ଆରମ୍ଭ କରି ନାହାଁନ୍ତି। ତେଣୁ ଯଦି ଏହି ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ନିଯୁକ୍ତିର ବ୍ୟବସ୍ଥା କରାଯାଆନ୍ତା ତେବେ ଏହି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଓ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ ଗୁଡ଼ିକ ସୁରୁଖୁରୁରେ ଚାଲିପାରନ୍ତା ବୋଲି ସମନ୍ୱୟ ସମିତି ତରଫରୁ କୁହାଯାଇଛି। ସେହିପରି ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା ଅନୁଦାନ ପ୍ରତ୍ୟାଶୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟା ମଧ୍ୟ ଅତ୍ୟନ୍ତ ଜଟିଳ। ୨୫ ରୁ ୩୦ ବର୍ଷ ଧରି ବିନା ପାରିଶ୍ରମିକରେ କାର୍ଯ୍ୟ କରୁଥିବା ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ କରିବା ପାଇଁ କୌଣସି ବ୍ୟବସ୍ଥା କରି ନାହାଁନ୍ତି କିମ୍ବା ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ତାରତମ୍ୟ ରଖି ସମସ୍ତ ବିଦ୍ୟାଳୟ ପରି ସେମାନଙ୍କୁ ସମାନ ସୁବିଧା, ସମାନ କାମକୁ ସମାନ ଦରମା ଦେଉ ନାହାଁନ୍ତି ଏବଂ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କୁ ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ କରୁଛନ୍ତି। ସେହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି ଓଡ଼ିଶା ରାଜ୍ୟର ଏବଂ ସେମାନଙ୍କର ଅଭିଭାବକ ଏହି ସରକାରକୁ ଭୋଟ୍ ଦେଇ ଜିତାଇଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଏ ବାଛବିଚାର କାହିଁକି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ରାଜ୍ୟର ଡବଲ ଇଞ୍ଜିନ୍ ସରକାର କମିଟି ନାମରେ ଆଉ କାଳକ୍ଷେପଣ ନୀତି ଅବଲମ୍ବନ ନକରି ଅନୁଦାନ ପାଉନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ଖାଲିପଡ଼ିଥିବା ପଦବୀରେ ନିଯୁକ୍ତିର ବ୍ୟବସ୍ଥା, ଗ୍ରେଡ଼ପେରେ ଥିବା ଅସଙ୍ଗତି, ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସମନ୍ୱୟ ସମିତି ପକ୍ଷରୁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ସରକାରଙ୍କ ନିକଟରେ ଏହାର ତ୍ୱରିତ ସମାଧାନ ପାଇଁ ଦୃଢ଼ ଦାବି କରିଛନ୍ତି।


