ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ମଙ୍ଗଳବାର ଠାରୁ ଭକ୍ତମାନଙ୍କୁ ରତ୍ନବେଦୀରେ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରିଥିବାରୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି। ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତକାଲି ନିଳାଦ୍ରୀ ବିଜେ ସହିତ ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ ଶେଷ ହୋଇଥିଲା।
ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ମଙ୍ଗଳ ଆଳତି ନୀତି ହେବା ପରେ ମଇଲମ, ତଡପ ଲାଗି, ଅଧର ପୋଛା, ଅବକାଶ ଆଦି ନୀତି ଶେଷ କରାଯାଇ ଶ୍ରୀଜୀଉମାନଙ୍କର ଗୋପାଳ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥିଲା। ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଆଦି କରାଯାଇ ସକାଳ ଧୂପ କରାଯାଇଥିଲା। ଏହାପରେ ନୀଳାଚଳ ଅବଢ଼ା ବାହାରିଥିଲା।


